ଭୁବନେଶ୍ୱର (ଏନ୍.ଏମ୍.): ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ଆଇଏମଡିର ପୂର୍ବ ଆକଳନ ଠିକ୍ ସାବ୍ୟସ୍ତ ହୋଇଛି । ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ଆସନ୍ତା୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଆଇଏମ୍ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହି ବାତ୍ୟା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ । ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଛି । ଅଇଏମଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରିନାହୁଁ । ତେବେ ଆଉ ଗୋଟିଏ ପାଦ ଆଗକୁ ଯାଇ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରିଛୁ । ତେବେ ଆସନ୍ତାକାଲି ଏହା ଅବପାତର ରୂପ ନେବା ପରେ କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ଆକଳନ କରାଯାଇପାରିବ ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ଏହି ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏସବୁ ଅଞ୍ଚଳ ଅଶାନ୍ତ ରହିବ । ତା’ପରେ ଉତ୍ତର ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ ତାରିଖରୁ ୨୭ ତାରିଖ ଯାଏ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ବର୍ତ୍ତମାନ ସମୁଦ୍ର ଭିତରକୁ ଯିବା ଉଚିତ ନୁହେଁ । ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୬୫ କି.ମି ବେଗରେ ପବନ ହେବ । ଘଣ୍ଟାପ୍ରତି ସର୍ବନିମ୍ନ ୧୨୦ କିଲୋମିଟର ବେଗରୁ ପବନ ବୋହିବ । ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ।
ଆଇଏମଡି ମହାନିଦେ୍ର୍ଦଶକଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶା ଉପକୂଳରେ ଯେଉଁ ସମୁଦ୍ର ରହିଛି, ସେଠାରେ ପବନ ହେବ । ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବ । ଏହାପରେ ଧୀରେ ଧୀରେ ପବନର ବେଗ ବଢ଼ି ୨୫ ତାରିଖ ସକାଳ ବେଳକୁ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ହୋଇପାରେ । ତେବେ ୨୬ ତାରିଖ ବେଳକୁ ଏହା ଆହୁରି ବୃଦ୍ଧି ପାଇବ । ବିଶେଷ କରି ପଶ୍ଚିମବଙ୍ଗକୁ ଲାଗି ଉତ୍ତର ଓଡ଼ିଶାର ଯେଉଁ ଉପକୂଳ ଅଞ୍ଚଳ ରହିଛି ସେଠାରେ ପବନର ବେଗ ସବୁଠୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ତେବେ ୨୫ ତାରିଖ ଅପରାହ୍ଣ ବା ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ଧୀରେ ଧୀରେ ଏହା ବଢ଼ି ପ୍ରବଳ ବର୍ଷା ହୋଇପାରେ । ତେବେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୫ ଓ ୨୬ ତାରିଖରେ ବର୍ଷା ରହିବ । ସେହିପରି ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ଆଲର୍ଟ କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା, ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ବାତ୍ୟା ମୁକାବିଲା ନେଇ ଆଲୋଚନା କରିବେ ।