ଫେବୃୟାରୀ୨୭ରେ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା
ଶତ ପ୍ରତିଶତ ଶିଶୁଙ୍କୁ ଟୀକାକରଣ କରାଯିବା ନେଇ ସହର ଟ୍ୟାକ୍ସ ଫୋର୍ସ ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର(ଏନ୍.ଏମ୍.): ଫେବୃୟାରୀ ୨୭ ଦିନରେ ରେ ଶୂନରୁ ୫ ବର୍ଷର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଟୀକାକରଣ ନେଇ ସହର ଟ୍ୟାକ୍ସ ଫୋର୍ସ ବୈଠକ ଆଜି ଅପରାହ୍ଣରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସହରରେ ଶତ ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନିଶ୍ଚିତ କରାଯିବାକୁ କମିଶନର ଶ୍ରୀ ସିଂ ସମ୍ପୃକ୍ତ ସମସ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପୃକ୍ତ ସହଯୋଗୀ କାର୍ଯ୍ୟାଳୟ ଓ ଅନୁଷ୍ଠାନର ସହଯୋଗ କାମନା କରିଛନ୍ତି । ଚିହ୍ନଟ ହୋଇଥିବା ସହରର ୯୦, ୪୨୫ ଜଣ ଶିଶୁଙ୍କୁ ଟିକା କରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ଅଂଚଳର ଯେପରି କୈଣସି ଶିଶୁ ପୋଲିଓ ବୁନ୍ଦା ନେବାରୁ ବାଦ୍ ନପଡନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି ।ଏଥିପାଇଁ ସେମାନଙ୍କ ନିମନ୍ତେ ପୋଲିଓ ବୁନ୍ଦା ନେବା ପାଇଁ ବ୍ୟବସ୍ଥା ଗ୍ରହଣ ଓ ବୁଥ୍ ଚିହ୍ନଟ ପାଇଁ ପ୍ରସ୍ତୁତି କରିବାକୁ ସେ ଆବଶ୍ୟକ ପରାମର୍ଶ ଦେଇଛନ୍ତି ।
ସହରରେ ୨୫୦ ଟି ବୁଥ ମାଧ୍ୟମରେ ଏହି ପୋଲିଓ ବୁନ୍ଦା ଟୀକାକରଣ କରାଯିବ । ଫେବୃୟାରୀ ୨୭ରେ ସମସ୍ତ ବୁଥରେଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । କୌଣସି କାରଣରୁ ଏହି ଦିନ ଶିଶୁପୋଲିଓ ବୁନ୍ଦା ନ ନେଇପାରିଲେ, ଫେବୃୟାରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ ଉକ୍ତ ଶିଶୁଙ୍କ ଘରକୁ ଘର ବୁଲି ଟୀକାକରଣ କରାଯିବ । କୋଭିଡ୍ କଟକଣା ଅନୁପାଳନ କରାଯାଇ ଏହି କାର୍ଯ୍ୟକ୍ରମ ହେବ । ୫୦୦ଟି ଟିମ୍ ଏହି କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହେବେ । ଏଥିରେ ସାମିଲ ହେଉଥିବା କର୍ମୀମାନେ ୨ ଡୋଜ୍ କୋଭିଡ୍ ଟୀକାସହ ପ୍ରିକସନାରୀ ଡୋଜ୍ ନେବା ବାଧ୍ୟତାମୂଳକ ହେବ । ସେହିପରି ମା’ କିମ୍ବା ଶିଶୁ ବା ଉଭୟ କୋଭିଡରେ ସଂକ୍ରମିତ ହୋଇଥିଲେ ଟୀକାକରଣ କେନ୍ଦ୍ରକୁ ଯିବାକୁ ବାରଣ ରହିବ । ପୋଲିଓ ବୁନ୍ଦା ଓ ଟୀକାକରଣ ସମ୍ପର୍କରେ ସହରରେ ବହୁଳ ଭାବେ ପ୍ରଚାର କରାଯିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀମାନଙ୍କ ସମେତ ଜନସାଧାଣଙ୍କୁ ସଚେତନ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବ । ସହରାଂଚଳ ସୀମାରେ ଥିବା ଗ୍ରାମଗୁଡିକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ଶିଶୁଙ୍କୁ ଟୀକାକରଣ କରାଯିବ ।ବିଶେଷ କରି ସ୍ୱଳ୍ପଦିନ ପାଇଁ ସହରରେ ରହୁଥିବା ପରିବାର, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀ, ବସ୍ତି ଅଂଚଳ,ଇଟା ଭାଟି ଅଂଚଳରେ ରହୁଥିବା ପରିବାରର ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ସୁନୀଲ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ । ସେହିପରି ଶୂନରୁ ୨ ବର୍ଷର ଶିଶୁଙ୍କୁ ମିଳିମିଳା ଓ ରୁବେଲା ଟୀକା କରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୭ ତାରିଖ, ଏପ୍ରିଲ ୭ ଓ ମଇ ମାସ ୭ ତାରିଖରେ ଦିଆଯିବା ନେଇ ବୈଠକରେ ସୂଚନା ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ସହରାଂଚଳ ସ୍ୱାସ୍ଥ୍ୟ ଅଧିକାରୀ, ବିଏମସିର ସମସ୍ତ ଜୋନ ଅଧିକାରୀ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବିଏମସି ଅନ୍ତର୍ଗତ ସମସ୍ତ ସିଡିପିଓ, ବ୍ଲକ ଶିକ୍ଷା ଅଧିକାରୀ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।