ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍ଘାଟିତ
#କଟକ(ଏନ୍.ଏମ୍.): ରାଉରକେଲା ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ପୋକ୍ସୋ ଆଇନ ଓ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ବିଚାର ପାଇଁ ଓଡ଼ିଶାର ବିଭିନ୍ନ ଜିଲା ମୁଖ୍ୟାଳୟରେ ୨୦ଟି ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲିସାରିଛି । ଜିଲା ମୁଖ୍ୟାଳୟ ଠାରୁ ବାହାରେ ପ୍ରତିଷ୍ଠିତ ଫାଷ୍ଟ ଟ୍ରାକ୍ କୋର୍ଟ କ୍ଷେତ୍ରରେ ରାଉରକେଲା ପ୍ରଥମ ବୋଲି ଜଣାଯାଇଛି । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ଷଡ଼ଙ୍ଗୀ ନାବାଳିକା ଓ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅପରାଧ ମାମଲାଗୁଡ଼ିକ ଉପଯୁକ୍ତ ସମୟରେ ଫଏସଲା ହୋଇ ପ୍ରଭାବୀ ନ୍ୟାୟ ପାଇବା ଦିଗରେ ନୂତନ କୋର୍ଟ ସହାୟକ ହେବ ବୋଲି କହିଥିଲେ । ଏହି କୋର୍ଟରେ ପୋକ୍ସୋ ଓ ବଳାତ୍କାର ମାମଲାଗୁଡ଼ିକର ବିଚାର କରାଯିବ । ସୁନ୍ଦରଗଡ଼ ଜଜ୍ସିପ୍ର ବିଚାରପତ କେ.ଆର୍ ମହାପାତ୍ର ସମେତ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି, ଜିଲା ଜଜ୍ ଓ ବିଚାର ବିଭାଗୀୟ ଅଧିକାରୀମାନେ ଆଭାସମୀ ମାଧ୍ୟମରେ ଯୋଗ ଦେଇଥିଲେ ।