ପ୍ରେରଣା: ସାନିଆ ମିର୍ଜା ପ୍ରଥମ ମୁସଲିମ ମହିଳା ଭାବେ ଚଳାଇବେ ଫାଇଟର ଜେଟ
#ମିର୍ଜାପୁର (ଏଜେନ୍ସି): କଥାରେ ଅଛି ପ୍ରବଳ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ ଫଳରେ ସଫଳତା ପାଦଚୁମ୍ବେ । ଏହାକୁ ପ୍ରମାଣିତ କରିଛନ୍ତି ଉତ୍ତର ପ୍ରଦେଶ ମିର୍ଜାପୁର ଅଞ୍ଚଳର ସାନିଆ ମିର୍ଜା । ସେ ଏବେ ଏକ ନୂତନ ଇତିହାସ ରଚିବାକୁ ଯାଉଛନ୍ତି । ସାନିଆ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ । ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି କରିବେ । ଏହାକୁ ନେଇ ଦେଶର ମହିଳାମାନଙ୍କ ମଧ୍ୟରେ ଏକ ନୂତନ ପ୍ରେରଣା ମିଳିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ତେବେ ସାନିଆଙ୍କ ବାପା ଜଣେ ଟିଭି ମେକାନିକ । ମିର୍ଜାପୁର ଦେହାତ କୋଟୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ଲୋକଙ୍କ ସହ ରୁହନ୍ତି ସାନିଆ । ସେ ଏନଡିଏ ପରୀକ୍ଷାରେ ସଫଳତା ହାସଲ କରି ଯୁଦ୍ଧ ବିମାନର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ହିନ୍ଦୀ ମିଡିୟମ ସ୍କୁଲରେ ପଢ଼ୁଥିବା ସାନିଆ ମିର୍ଜା କହିଛନ୍ତି, ଯଦି ଇଚ୍ଛାଶକ୍ତି ଓ ନିଜ ଲକ୍ଷ୍ୟ ପ୍ରତି ଜଣେ ପ୍ରତିଶ୍ରୁତିବଦ୍ଧ ରହିଛି, ତା’ହେଲେ ହିନ୍ଦୀ ମିଡିୟମ ପିଲା ମଧ୍ୟ ସଫଳତା ହାସଲ କରିପାରିବେ । ଡିସେମ୍ବର ୨୭ ତାରିଖରେ ପୁଣେରେ ଥିବା ଏନଡିଏ ଖଡକଧୱାସଲାରେ ସେ ଯୋଗ କରିବେ । ସାନିଆଙ୍କ ଏପରି ସଫଳତାରେ ତାଙ୍କ ପରିବାର ଓ ଗାଁ ଲୋକଙ୍କ ଛାତି ଗର୍ବରେ ଫୁଲି ଉଠିଛି । ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି, “ସାନିଆ ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତ୍ତୁବେଦୀଙ୍କୁ ତା’ର ଆଦର୍ଶ ଭାବେ ମାନି ଆସିଛି । ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତା’ର ଇଚ୍ଛା ଥିଲା । ସାନିଆ ଦେଶର ଦ୍ୱିତୀୟ ମହିଳା ଭାବେ ଫାଇଟର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛି । ଏଥିପାଇଁ ଆମେ ବହୁତ ଖୁସି ।” ସାନିଆ ମିର୍ଜା ପ୍ରଥମରୁ ୧୦ମ ଯାଏ ଗାଁରେ ଥିବା ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜରେ ପାଠ ପଢ଼ିଥିଲେ । ଏହାପରେ ସେ ଗୁରୁ ନାନକ ଗାର୍ଲସ ଇଣ୍ଟର କଲେଜରେ ପଢ଼ିବା ଆରମ୍ଭ କରିଥିଲେ । ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ । ଟପ୍ପର ହେବା ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଏହି ସଫଳତା ପାଇଁ ସବୁ ଶ୍ରେୟ ତାଙ୍କ ବାପା ମା’ ଓ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀକୁ ଦେଇଛନ୍ତି । ୨୦୨୨ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ମାତ୍ର ୨ଟି ପଦ ମହିଳା ଫାଇଟର ପାଇଲଟ ପାଇଁ ରହିଥିଲା । ପ୍ରଥମ ପ୍ରୟାସରେ ସାନିଆ ସିଟକୁ ଦଖଲ କରିପାରି ନଥିଲେ । କିନ୍ତୁ ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି । ସାନିଆଙ୍କ ମା’ ତବସୁମ ମିର୍ଜା କହିଛନ୍ତି, “ଆମ ଝିଅ ଆମକୁ ଓ ଆମ ପୂରା ଗାଁକୁ ଗର୍ବିତ କରିଛି । ସେ ଯୁଦ୍ଧ ବିମାନ ପାଇଲଟ ହେବାକୁ ଦେଖିଥିବା ସ୍ୱପ୍ନକୁ ପୂରଣ କରିଛି । ସେ ଏବେ ଗାଁର ସବୁ ଝିଅଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇଛି ।”