ପ୍ରେମ ଓ ପ୍ରତାରଣା ପରେ ଜେଲରେ ବିବାହ କଲେ ପ୍ରେମିକାଙ୍କୁ
ଚୌଦ୍ୱାର(ଏନ୍.ଏମ୍.): ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ଜେଲ ଦଣ୍ଡ ଭୋଗ କରୁଥିବା ପ୍ରେମିକ ଶେଷରେ ପ୍ରେମିକାକୁ ବିବାହ କରିଛି । ଫଳରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜି ଅଭିଯୋଗକାରିଣୀ ପ୍ରେମିକା ସହ ଅଭିଯୁକ୍ତ ପ୍ରେମିକଙ୍କ ବିବାହ ସମ୍ପନ୍ନ ହୋଇଛି । ଚୌଦ୍ୱାର ଜେଲରେ ପୂର୍ବରୁ ଏହି ଭଳି ୩ଜଣ ଅଭିଯୁକ୍ତ ପ୍ରେମିକଙ୍କ ବିବାହ ହୋଇଥିବାବେଳେ ଏଥର ଚତୁର୍ଥ ଥର ପାଇଁ ବିବାହ ଉତ୍ସବ ହୋଇଥିଲା ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଆଳି ଥାନା ଖେରଞ୍ଚ ଗ୍ରାମର ସୁକାନ୍ତ ମଲ୍ଲିକଙ୍କ ଭିନ୍ନକ୍ଷମ ଝିଅ ରାନୁ ଜନ୍ମରୁ ମୁକ ବଧିର । ଏହାର ସୁଯୋଗ ନେଇ ରାନୁ ସହିତ ସେହି ଗ୍ରାମର ନୃଷିଙ୍ଗ ମଲ୍ଲିକଙ୍କ ପୁଅ ଅର୍ଜୁନର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ରାନୁ ସହିତ ଅର୍ଜୁନ ଶାରିରୀକ ସମ୍ପର୍କ ରଖିବାରେ ରାନୁ ଗର୍ଭବତୀ ହୋଇଥିଲେ । ଏଘଟଣା ଜାଣିବା ପରେ ଅର୍ଜୁନ ରାନୁକୁ ବିବାହ କରିବାକୁ ଅରାଜି ହେବା ସହିତ ଅନ୍ୟତ୍ର ବିବାହ କରାଇ ଦେବାକୁ ଅର୍ଜୁନର ପରିବାର ଲେକେ ପ୍ରୟାସ ଆରମ୍ଭ କରିଥିଲେ । ନିରାଶ ହୋଇ ରାନୁର ପରିବାର ଲୋକେ ନିଜ ଗ୍ରାମ ଲୋକଙ୍କ ସହାୟତାରେ ନିଆଳି ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ । ପୁଲିସ ଅର୍ଜୁନକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ରାନୁକୁ କଟକ ବସୁନ୍ଧରାରେ ଥଇଥାନ କରାଯାଇଥିଲା । କୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଜେଲ ଭିତରେ ରହି ଅର୍ଜୁନ ଅନୁତାପ କରିବା ସହିତ ରାନୁକୁ ବିବାହ କରିବାକୁ ପୁଣିଥରେ ମନସ୍ଥ କରିଥିଲେ । ଏ ସମ୍ପର୍କରେ ଜେଲ କତ୍ତୃପକ୍ଷଙ୍କୁ ଜଣାଇବାରେ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ଉଭୟ ପରିବାରକୁ ଡକାଇ ବାହାଘର ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଉଭୟ ପକ୍ଷ ରାଜି ହେବା ପରେ କୋର୍ଟଙ୍କ ଅନୁମତି ଅନୁଯାୟୀ ପ୍ରେମିକ-ପ୍ରେମିକା ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି । ଆଜି ଜେଲ ପରିସରରେ ଆୟୋଜିତ ବିବାହ ଉତ୍ସବରେ ଜେଲର ବିଭୁଦେନ୍ଦ୍ର ଭୁୟାଁ, କାରା ମଙ୍ଗଳ ଅଧିକାରୀ ରାମକୃଷ୍ଣ ଦାସ, ମାୟାଧର ସେଠୀ, ଜେଲର ସମସ୍ତ କର୍ମଚାରୀ, ବର ଓ କନ୍ୟାଙ୍କ ପରିବାର ବର୍ଗ ତଥା ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତଥିଲେ ।