ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ
ମାହାଙ୍ଗା(ଏନ୍.ଏମ୍.): ଗୋଟିଏ ପିଢି ନୁହେଁ, ତିନି ପିଢି ଧରି ପିଲାଙ୍କୁ ପାଠ ପଢାଇ ଆସୁଥିବା ଜଣେ ଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହୋଇପଡିଛନ୍ତି ଗ୍ରାମବାସୀ । ସେ କେବଳ ପିଲାଙ୍କୁ ପାଠ ପଢାଉଥିଲେ ତାହା ନୁହେଁ, ଗ୍ରାମବାସୀ ସୁଖଦୁଃଖରେ ଜଣେ ସାଥୀ ଥିଲେ । ଏପରିକି କାହା ନାଁ ଭୋଟର ତାଲିକା, ଆଧାର କାର୍ଡ କିମ୍ବା ରାସନ କାର୍ଡରେ କେବେ ଚଢିବ ସେ ସବୁ ପାଇଁ ଲୋକଙ୍କ ଚିନ୍ତା କରିବାକୁ ପଡୁନଥିଲା । କାରଣ ନଟ ସାର ଅଛନ୍ତି ତ ସବୁ ହୋଇଯିବ । ସେହି ନଟ ସାରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ଗ୍ରାମବାସୀ ଜଣେ ପରେ ଜଣେ ଭାବବିହ୍ୱଳ ହୋଇ ତାଙ୍କ ପ୍ରତି ନିଜର କୃତଜ୍ଞତା ଜଣାପଇଛନ୍ତି । ମାହାଙ୍ଗା ବ୍ଲକ ମଉଦା ପ୍ରାଥମିକ ବିଦ୍ୟାଳୟ (କୁମାରସାହି)ର ପ୍ରଧାନଶିକ୍ଷକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରୁଥିବା ନଟବର ନାୟକ (ନଟସାର)ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ଗ୍ରାମବାସୀ । ଏହି ଶତାୟୁ ସ୍କୁଲର ପୁରାତନ ଛାତ୍ର ସଂସଦ ଓ ମଉଦା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦ ସଭାପତି କାଳୀପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଭାବେ ମାହାଙ୍ଗା ଶିକ୍ଷା ଜିଲ୍ଲା ମଣ୍ଡଳ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା, ସରପଞ୍ଚ ଚିନ୍ମୟୀ ବରାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନରେନ୍ଦ୍ର ଚନ୍ଦ୍ର ଶତପଥୀ, ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଦାସ (କାହ୍ନୁ ସାର), ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ର, ପ୍ରମୋଦ କୁମାର ସାମଲ, ଛାତ୍ରସଂସଦ ସମ୍ପାଦକ ରମାକାନ୍ତ ମିଶ୍ରଙ୍କ ସହିତ ସିଆରସିସି ଓ ସଂପୃକ୍ତ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ପାଖା ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମର ମୁରବୀମାନେ ଉପସ୍ଥିତ ଥିଲେ । ଗିରିଜା ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ନଟ ସାରଙ୍କ ପାଖରେ ତିନିପିଢ଼ି ଧରି ପାଠ ପଢିଥିବା ପିଲାମାନେ ନିଜ ପ୍ରିୟ ଶିକ୍ଷକଙ୍କୁ ବିଭିନ୍ନ ଉପହାର ଦେବା ସହିତ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ସ୍କୁଲଠାରୁ ନେଇ ତାଙ୍କ ଅରିଲୋ ଗ୍ରାମ ବାସଭବନରେ ଛାଡିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଜୟଦେବ ଲେଙ୍କା ଏହି ଅବସରରେ ନଟ ସାରଙ୍କ ଭଳି ଜଣେ ସାର ମିଳିବା ବିରଳ ବୋଲି କହିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଜାତୀୟ ଦିବସ ପାଳନ ବେଳେ ନଟସାରଙ୍କ ଗୁରୁତ୍ୱ ଓ ଆବଶ୍ୟକତାକୁ ସେ ମନେ ପକାଇଛନ୍ତି । ସେ ତାଙ୍କ ଅବସରକାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି । ଏହା ସହିତ ନଟ ସାର ତାଙ୍କର ଶିକ୍ଷାଦାନ ଜୀବନ ଅବସର ପରେ ବି ଜାରି ରଖିବାକୁ ନିବେଦନ କରିଛନ୍ତି ।