ପ୍ରଖ୍ୟାତ ଲେଖକ ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଅସୁସ୍ଥ
#କଟକ(ଏନ୍.ଏମ୍.): ଓଡିଶା ତଥା କଟକର ଗର୍ବ, ଗୌରବ ତଥା ଓଡ଼ିଆମାନଙ୍କ ଅସ୍ମିତା ପଦ୍ମଶ୍ରୀ ପ୍ରଫେସର ଡ. ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗତ ୩ଦିନ ଧରି ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ହୃଦ ସ୍ପନ୍ଦନରେ ସମସ୍ୟା ଦେଖାଦେବା ସହିତ ୩ ଦିନ ଧରି ଭୀଷଣ ଜ୍ୱରରେ ଆକ୍ରାନ୍ତ ରହିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସାଚାଲିଥିବାବେଳେ ଖବର ପାଇ ସିଏମସି ମେୟର ସୁବାସ ସିଂହ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଆବାହକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ତାଙ୍କ ବାସ ଭବନରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ସମୟରେ ମେୟରଙ୍କ ସହିତ ଏସସିବି ମେଡ଼ିକାଲର ଏକ ଡାକ୍ତରୀ ଟିମ ମଧ୍ୟ ପହଞ୍ଚି ଡକ୍ଟର ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ଡକ୍ଟର ମହାପାତ୍ରଙ୍କୁ ତାଙ୍କ ଘରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡ ବିଶ୍ୱଜିତ ଦାସଙ୍କ ସହିତ ଏକ ଟିମ ପରୀକ୍ଷା ନିରୀକ୍ଷା କରିଥିଲେ । ଆବଶ୍ୟକପଡ଼ିଲେ ଉନ୍ନତ ଚିକିତ୍ସା ପାଇଁ ବଡ ଡାକ୍ତରଖାନା ନେବା ଡାକ୍ତର ଟିମ ପରାମର୍ଶ ଦେଇଥିଲେ । ଆସନ୍ତା କାଲି ସକାଳେ ତାଙ୍କ ଶରୀରର ସମସ୍ତ ପରୀକ୍ଷା କରିବା ପାଇଁ ଡାକ୍ତର ଟିମ ପରାମର୍ଶ ଦେଇଛନ୍ତି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିଏମସି ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ଏ. ଶ୍ରୀଦେବୀ, କର୍ପୋରେଟର ଚନ୍ଦନ ଜେନା, ଅର୍ଦ୍ଧେନ୍ଦୁ ଶେଖର ମାଝୀ, ଜନ ଆଶିଷ ବରାଳ, ଶେଖ ଫୟାଜ ପ୍ରମୁଖ ଉପସ୍ଥିତ ଥିଲେ ।