ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ
କଟକ(ଏନ୍.ଏମ୍.): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ମୋଟ ପାସ ହାର୮୦.୮୩ପ୍ରତିଶତ ରହିଛି । ପାସ୍ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୨ଜଣ ଛାତ୍ରଛାତ୍ରୀ ଏ୧ ପାଇଛନ୍ତି । ସେହିପରି ଏ ୨-୨୫୫, ବି୧- ୩୪୮, ବି୨- ୪୫୮, ସି-୫୯୯, ଡି- ୮୪୬, ଇ-୨୬୮୫, ଏଫ- ୧୪୧ଗ୍ରେଡ଼ ପାଇଥିବା ଜଣାପଡ଼ିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରାଙ୍କ କହିବା ଅନୁସାରେ ୬୬୨୦ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା । ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିଲେ । କପି କରି ୧୪ ଜଣ ଧରାପଡ଼ିଥିଲେ । ତେବେ ଅଫଲାଇନ୍ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୪୧ ଜଣ ଫେଲ୍ ହୋଇଛନ୍ତି ବୋଲି ବୋର୍ଡ ସଭାପତି କହିଛନ୍ତି ।
ସେହିପରି ଷ୍ଟେଟ୍ ଓପନ ସ୍କୁଲ୍ ଅଫଲାଇନ୍ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ । ସେମାନଙ୍କ ଭିତରୁ ୧୩୩୮୧ ଅନୁପସ୍ଥିତ ରହିଥିଲେ । କପି କରି ୧୯ ଜଣ ଧରା ପଡ଼ିଥିଲେ । ୬୩୦୯ ଜଣ ପାସ୍ କରିଛନ୍ତି । ପାସ୍ ହାର ୭୪.୩ ପ୍ରତିଶତ ରହିଛି । ଏ ୧ରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ଏ ୨ରେ ୧୭, ବି୧ରେ ୧୯୪, ବି୨ରେ ୩୪୭, ସି-୮୧୬, ଡି-୧୪୨୫, ଇ-୩୫୧୦ ଜଣ ପାସ୍ କରିଛନ୍ତି । ୩୨୮ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ । ସେହିପରି ମଧ୍ୟମାରେ ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମସ୍ତେ ପାସ୍ କରିଛନ୍ତି ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଅଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ଜଣ ନମ୍ବର ବଢ଼ିଥିବାବେଳେ ୪୫୯ଜଣଙ୍କ ନମ୍ବର କମିଛି । ତେବେ ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ ଥିଲେ ରି ଚେକିଂ ପାଇଁ ସେପ୍ଟେମ୍ବର ୮ସୁଦ୍ଧା ଆବେଦନ କରିପାରିବେ; ସେହିଭଳି କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିନାହାନ୍ତି । ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି ।