ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥିନୀଙ୍କ ନିର୍ବାଚନ ରାଲି
କଟକ/ଜଗତପୁର(ଏନ୍.ଏମ୍.): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଶେଷ ପ୍ରଚାରକୁ ପ୍ରାର୍ଥୀମାନେ ଅଧିକ ଗୁରୁତ୍ୱ ଦେଇ ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରଚାର ସଂଗୀତ ସାଙ୍ଗକୁ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ବିଶାଳ ଶୋଭାଯାତ୍ରା ନିର୍ବାଚନୀ ପ୍ରଚାରକୁ ଅଧିକ ସରଗରମ କରିଥିଲା । ଆଜି ପ୍ରଚାର ଶେଷ ହୋଉଥିବା ଯୋଗୁଁ ଦଳୀୟ ନେତା ତଥା ସ୍ୱାଧୀନ ପ୍ରାର୍ଥୀଙ୍କ ମାର୍ଗଦର୍ଶକମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ । କେତେକ ପ୍ରାର୍ଥୀ କିମ୍ବା ପ୍ରାର୍ଥୀନୀଙ୍କ ସହିତ ସ୍ୱତଃପ୍ରବୃତ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଆଉକିଛି ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ମଜୁରୀ ଦେଇ ଅନ୍ୟ ୱାର୍ଡ଼ରୁ ଲୋକ ଆଣି ନିଜ ଶୋଭାଯାତ୍ରରେ ସାମିଲ କରିଥିବା ଦେଖିବାକୁ ମିଳିଥିଲା । ତେବେ ଆଜି କଟକ ମହାନଗର ନିଗମର ୫୯ଟି ୱାର୍ଡରେ ସକାଳ ୯ଘଟିକାରୁ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ଜିନ୍ଦାବାଦ ଧ୍ୱନୀରେ କଟକ ସହର ତଥା ଜିଲ୍ଲାର ବିଭିନ୍ନ ପୌରାଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା ।
ସେହିଭଳି କଟକ ମହାନଗର ନିଗମର ଜଗତପୁର ଅଞ୍ଚଳରେ ମଧ୍ୟ ନିର୍ବାଚନୀ ପ୍ରଚାର ଯୋରଦାର ଚାଲିଥିବା ଦେଖିବାକୁ ମିଳିଥିଲା । ଏଠାରେ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ନିଜର କଳ ବଳ କୌଶଳ ଦେଖାଇବାରେ ଲାଗିଛନ୍ତି । ଆଜି ଅପରାହ୍ନରେ ବିଜେପି ତାର ସମର୍ଥକମାନଙ୍କୁ ଧରି ମହାନଦୀ ବ୍ୟାରେଜ ବଟଛକ ଠାରୁ ଏକ ବାଇକ ରାଲିରେ ଶତାଧିକ ଜନ ସମର୍ଥିକଙ୍କ ସହ ମେୟର ପ୍ରାର୍ଥୀ ଶ୍ରୀତମ ଦାସ ଓ କର୍ପୋରେଟର ପ୍ରାର୍ଥିନୀ ସରିତା ଶୁକ୍ଳ ଏକ ଖୋଲା ଜିପରେ ଦଳୀୟ ସର୍ମଥକଙ୍କ ସହ ବିଭିନ୍ନ ସାହି ବସ୍ତି ବୁଲି ଭୋଟ ଭିକ୍ଷା କରିଥିଲେ । ସେହିପରି ପୁରୁଣା ଜଗତପୁରର ଝିଅ ଓ ବୋହୁ ଭାବେ ବେଶ ପରିଚିତ ମମତା ନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ (ତାଲା ଚାବି) ଚିହ୍ନରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ନିଜ ଗାଁ ମାଟି ପାଇଁ କିଛି କାମ କରିବେ ବୋଲି ନାରାଦେଇ ସମର୍ଥକଙ୍କ ସହ ପ୍ରଚାର କରିଥିଲେ । ସେ ତାଙ୍କ ସମର୍ଥକଙ୍କୁ ଧରି ଜଗତପୁର ମା’ ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ପଦ ଯାତ୍ରାରେ ବାହାରି ଜଗତପୁର ଅଞ୍ଚଳର ବିଭିନ୍ନ ସାହି ପରିକ୍ରମା କରି ଲକ୍ଷ୍ମଣପୁରର ସମସ୍ତ ଗ୍ରାମ, ସାହି ଓ ବସ୍ତି ପରିକ୍ରମା କରି ତାଲା ଚାବି ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେହିଭଳି ଶାସକ ଦଳ ବିଜେଡି କର୍ପୋରେଟର ପ୍ରାର୍ଥିନୀ ନଳିନୀ ବେହେରା ଭୋଟରମାନଙ୍କୁ ଧରି ଏ ଗାଁରୁ ସେ ଗାଁ ପ୍ରତି ଦିନ ପଦ ଯାତ୍ରାରେ ବାହାରି ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ସମ୍ପର୍କରେ ବୁଝାଇ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଗୁହାରି କରିଥିଲେ । ସେହିପରି ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ମଧୁସ୍ମିତା ସାମଲ ମଧ୍ୟ ତାର ନିର୍ବାଚନୀ ପ୍ରଚାର ଜାରି ରଖିଛି । ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରି ଫଳନ୍ତି ନଡ଼ିଆ ଗଛ ଚିହ୍ନରେ ଭୋଟ ଭିକ୍ଷା କରୁଛନ୍ତି । ସେ ସାହିର ମୁରବୀମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ଓ ଶାସକ ଦଳର ବିଫଳତାକୁ ଦର୍ଶାଇ ଭୋଟ ଭିକ୍ଷା କରିଥିଲେ । ତେବେ ପୂର୍ବତନ କର୍ପୋରେଟର ନିରୋଦ ଚନ୍ଦ୍ର ପଣ୍ଡା ବିଜେପି ଦଳ ପରିତ୍ୟାଗ କରି ଅନ୍ୟଜଣେ ପ୍ରାର୍ଥିନୀ ଦେଇ ତାଙ୍କ ସମର୍ଥକମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।