ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର

ପୌର ନିର୍ବାଚନରେ ଇଭିଏମ ଜରିଆରେ ମତଦାନ କରିବେ ଭୋଟର


ଭୁବନେଶ୍ୱର (ଏନ୍‌.ଏମ୍‌.): ଆଗାମୀ ପୌର ନିର୍ବାଚନ ବାଲାଟ ପେପରରେ ନହୋଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)ରେ ହେବ । ଏ ନେଇ ଆଜି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ କାଉନସିଲର/କର୍ପୋରେଟରଙ୍କ ପାଇଁ ଭୋଟ୍ ପଡ଼ିବ ଏବଂ ଅନ୍ୟ ଇଭିଏମରେ ପୌରାଧ୍ୟକ୍ଷ/ମେୟରଙ୍କ ପାଇଁ ଭୋଟ୍ ପଡ଼ିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ପୂର୍ବରୁ ପୌରାଧ୍ୟକ୍ଷ କିମ୍ବା ମେୟର ନିମନ୍ତେ ପରୋକ୍ଷ ନିର୍ବାଚନ ହେଉଥିବାବେଳେ ଏଥର ଭୋଟରମାନେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ବାଛିବେ ବୋଲି ଜଣାପଡ଼ିଛି ପୌର ନିର୍ବାଚନରେ ଏଥର ପ୍ରାର୍ଥୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ । ଏହି ସତ୍ୟପାଠରେ ସେମାନେ ନିଜର ସମ୍ପତ୍ତି ତାଲିକା ଦେବେ । ଏହାସହ ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଦେବେ । ସେହିଭଳି ଯଦି ସେମାନଙ୍କ ନାଁରେ କୌଣସି ଅପରାଧ ମାମଲା ଥିବ, ତା’ର ମଧ୍ୟ ସୂଚନା ଦେବେ । ଯଦି କେହି ଭୁଲ୍ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିଥିବେ, ତା’ହେଲେ ତାଙ୍କର ପ୍ରାର୍ôଥପତ୍ର ନାକଚ ହୋଇଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ।
ପୁନଶ୍ଚ ପୌର ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସର୍ବାଧିକ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି । ମହାନଗର ନିଗମର କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି ମେୟର ପ୍ରାର୍ଥୀ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କାଉନସିଲର ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୦ହଜାର ଟଙ୍କା ରହିଛି । କିନ୍ତୁ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୨ଲକ୍ଷ ଟଙ୍କା ରହିଛି । ସେହିପରି ୫୦ ହଜାରରୁ ଲକ୍ଷେ ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କାଉନସିଲର ପ୍ରାର୍ଥୀ ସର୍ବାଧିକ ୭୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଏଠାରେ ଚେୟାରମ୍ୟାନ ପ୍ରାର୍ଥୀ ସର୍ବାଧିକ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କାଉନସିଲର ପ୍ରାର୍ଥୀ ସର୍ବାଧିକ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ଏଠାରେ ଚେୟାରମ୍ୟାନ୍ ପ୍ରାର୍ଥୀ ସର୍ବାଧିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସବୁ ଦଳର ନେତାଙ୍କୁ ଅବଗତ କରାଯାଇଛି । ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ୧୦୭ ପୌରାଞ୍ଚଳ ଓ ୩ ମହାନଗରରେ ଚିଠା ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଫେବ୍ରୁଆରୀ ୨୮ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବୈଠକରେ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ