ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା
ବାଲେଶ୍ୱର(ଏନ୍.ଏମ୍.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନା ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରେ ସେ ପୁରୀ-ଜଳେଶ୍ୱର ଏମ୍ଇଏମ୍ୟୁ ଟ୍ରେନରେ ବାଲେଶ୍ୱର ଫେରିଥିଲେ । ତେବେ ସେହି ଦିନ ସେ ଅସୁସ୍ଥ ହୋଇଥିଲେ । ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା । ଡାକ୍ତରଙ୍କ ପରାମର୍ଶରେ ସେ ମେଡ଼ିସିନ୍ ଖାଇଥିଲେ । ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । ପୁନଶ୍ଚ ଆଜି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଫକିର ମୋହନ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ତେବେ ଆଜି ବିଭିନ୍ନ ସ୍ଥାନରେ ସମର୍ଥକ ଓ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।