ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର


କଟକ(ଏନ୍‌.ଏମ୍‌.): ପୁଲିସର ବର୍ବରତା ଓ ଆକ୍ରମଣାତ୍ମକ ନୀତି ପ୍ରତିବାଦରେ ଆଜି ବିଶିଷ୍ଟ ନାଗରିକଙ୍କ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ବିଶେଷ କରି ରାଜକନିକାରେ ପୁଲିସର ଆକ୍ରମଣକୁ ନିନ୍ଦା କରାଯିବା ସହ ଅଧିକାରୀଙ୍କ ଦବଙ୍ଗଗିରିକୁ ଘୋର ବିରୋଧ କରାଯାଇଛି । ଦେଶ ସ୍ୱାଧୀନତା ପାଇବା ପରେ ମଧ୍ୟ ପୁଲିସ ବ୍ରିଟିଶ ଶାସନ ଭଳି ମେରିରାୟ ଚଳାଇଛି । ସେହିଭଳି ଜନ ଆନ୍ଦୋଳନକୁ ଦମନ କରିବାପାଇଁ ପୁଲିସ ବ୍ୟକ୍ତିଗତସ୍ତରକୁ ଯାଇ ରକ୍ତମୁଖା ହେବା କେତେଦୂର ଯୁକ୍ତିଯୁକ୍ତ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମଧ୍ୟ ଅଭିଯୋଗକାରୀମାନେ ଦାବି କରିଛନ୍ତି । ଏ ନେଇ ପୁଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ରାଜକନିକା ଅଞ୍ଚଳରେ ଗତକାଲି ଘଟିଥିବା ଘଟଣାରେ ପୁଲିସର ଦମନକାରୀ ଭୂମିକା ଅତ୍ୟନ୍ତ ନିନ୍ଦନୀୟ । ଜନମତକୁ ବେଖାତିର କରି ଖରସ୍ରୋତାରୁ କମ୍ପାନୀ ପାଇଁ ଜଳ ନେବା ଓ ସ୍ଥାନୀୟ ଲୋକଙ୍କୁ ଜଳକଷ୍ଟ ଦେବାର ଏକ ସୁନିୟୋଜିତ ଷଡଯନ୍ତ୍ରକୁ ସେ ଅଞ୍ଚଳର ଆବାଳବୃଦ୍ଧବନିତା ଗଣତାନ୍ତ୍ରିକ ପନ୍ଥାରେ ବିରୋଧ କରି ଆସୁଛନ୍ତି । ଗତ ରାତିରେ ଭାରିଗଦା ଅଞ୍ଚଳର ଗ୍ରାମମାନଙ୍କରେ ପୁଲିସ ବିନା କାରଣରେ ଚଢାଉ କରି ଏନକାଉଣ୍ଟର କରିବା ଧମକ ଦେଇ ଆସିଛି । ଘରମାନଙ୍କର କବାଟ ଝରକା ଭାଙ୍ଗି ମହିଳାମାନଙ୍କୁ ଅଶ୍ଳୀଳ ଦୁବ୍ୟବହାର ଓ ଗାଳିଗୁଲଜ ମଧ୍ୟ କରିଛି । ଏହା ପରାଧୀନ ଭାରତର ଇଂରେଜ ଶାସନର ପୁନରାବୃତ୍ତି ବୋଲି କୁହାଯାଇଛି । ପୁନଶ୍ଚ ଏଭଳି ଦମନ ଅଭିଯାନର ଜ୍ୟୋତି ରଞ୍ଜନ ସାମନ୍ତରାୟ, ଉମାକାନ୍ତ ନାୟକ ପ୍ରମୁଖ ପୁଲିସ ଅଫିସରମାନେ ଯେଉଁମାନଙ୍କର ଅତୀତର କୁତ୍ସିତ ଜନବିରୋଧୀ ରେକର୍ଡ ରହିଛି । ସେମାନେ ଏକ ପଛୁଆ ଅଞ୍ଚଳକୁ ବଦଳିର ରାଗ ଯୋଗୁଁ କମ୍ପାନୀ ପ୍ରେରିତ ହୋଇ ଲୋକଙ୍କ ଉପରେ ସୁଝାଉଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟ ପୁଲିସ ମୁଖ୍ୟ ଭାବେ ତୁରନ୍ତ ଲୋକଙ୍କ ଉପରେ ଏକ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରାଯାଇଛି । ଏଥି ସହିତ ଏହି ଅଞ୍ଚଳରୁ ୧୪୪ ଧାରା ବାତିଲ କରି ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା ଏବଂ ଲୋକ ବିରୋଧୀ ଅଧିକାରୀଙ୍କ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଭଳି ଅରାଜକତାକୁ ବନ୍ଦ କରିବାକୁ ଦାବି କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଚିତ୍ତରଞ୍ଜନ ମହାନ୍ତି, ପ୍ରଶାନ୍ତ ଦାସ, ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ ଦେବେନ୍ଦ୍ର ପ୍ରସାଦ ମହାନ୍ତି, ସୌଭାଗ୍ୟ ସାମଲ, ବସନ୍ତ ନାୟକ, ପାଭେଲ ପ୍ରିୟଦର୍ଶନ ପ୍ରମୁଖ ଉପସ୍ଥିତଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ