ପିପିଲି ଉପନିର୍ବାଚନ: ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ, ସଭାରେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି
# ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ନିୟନ୍ତ୍ରଣରେ ଥିବାରୁ ପିପିଲି ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ପିପିଲି ଉପନିର୍ବାଚନରେ ସର୍ବାଧିକ ୭ଦିନ ପ୍ରଚାର ହେବ । ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହିତ ନିର୍ବାଚନୀ ସଭାରେ ସର୍ବାଧିକ ୧ହଜାର ଲୋକ ଏକଜୁଟ ହୋଇପାରିବେ ବୋଲି ଅନୁମତି ମିଳିଛି ।
ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୦ତାରିଖ ପରଠୁ ନିର୍ବାଚନ ପ୍ରଚାର କରିବା ପାଇଁ ରାଜନୀତିକ ଦଳଗୁଡ଼ିକୁ ଅନୁମତି ଦିଆଯିବ । ଭୋଟଗ୍ରହଣ ୩୦ ତାରିଖରେ ହେବାର ଥିବାରୁ ଏହାର ୭୨ଘଣ୍ଟା ପୂର୍ବରୁ ଅର୍ଥାତ ୨୭ତାରିଖ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ । ଚଳିତ ଉପନିର୍ବାଚନରେ ପ୍ରଚାର ପାଇଁ କୌଣସି ପ୍ରକାରର ରୋଡ୍ ଶୋ, ମୋଟର ବାଇକ୍ ରାଲିକୁ ଅନୁମତି ମିଳିବ ନାହିଁ । କୋଭିଡ୍ ଗାଇଡଲାଇନ ମଧ୍ୟରେ ରାସ୍ତାକଡ଼ ସଭା ପାଇଁ ସର୍ବାଧକ ୫୦ଜଣ ଲୋକଙ୍କୁ ଅନୁମତି ଦିଆଯିବ । କୌଣସି ହଲ୍ ଅବା ଘର ଭିତରେ ସଭା କରାଗଲେ ଉକ୍ତ ଘରର ସିଟିଂ କ୍ଷମତାର ସର୍ବାଧିକ ୩୦ ପ୍ରତିଶତ ଅବା ୨୦୦ ଲୋକ(ଯାହା କମ୍ ହେବ)ଙ୍କୁ ଏକଜୁଟ କରାଇବାକୁ ଅନୁମତି ମିଳିବ । ଏଥିପାଇଁ ଏକ ରେଜିଷ୍ଟରରେ ସମସ୍ତଙ୍କ ନାମ ଉଲ୍ଲେଖ ରହିବ । ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ସଭାରେ ସର୍ବାଧିକ ୧ହଜାର ଲୋକ ଏବଂ ଅନ୍ୟମାନଙ୍କ ପାଇଁ ପଡ଼ିଆର ୫୦ ପ୍ରତିଶତ କ୍ଷମତା ଅବା ୫୦୦ଜଣଙ୍କୁ ଏକଜୁଟ ହେବାର ଅନୁମତି ମିଳିବ । ପଞ୍ଜିକୃତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳଗୁଡ଼ିକର ଷ୍ଟାର କ୍ୟାମ୍ପେନରଙ୍କ ସଂଖ୍ୟା ୨୦ ଏବଂ ଅନ୍ୟ ଅଣପଞ୍ଜିକୃତ ରାଜନୀତିକ ଦଳଗୁଡ଼ିକ ସର୍ବାଧିକ ୧୫ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ପ୍ରଚାର କରିପାରିବେ । ଡୋର ଟୁ ଡୋର କ୍ୟାମ୍ପେନର ପାଇଁ ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ଜଣ ଯାଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କୁ ବାଦ୍ ଦେଇ ଜଣେ ପ୍ରାର୍ଥୀ ଅବା ଦଳକୁ ସର୍ବାଧିକ ୨୦ଟି ଗାଡ଼ି (୫୦ପ୍ରତିଶତ କ୍ଷମତା ସହ)ଉପଯୋଗ ପାଇଁ ଅନୁମତି ମିଳିବ । କୌଣସି ପ୍ରାର୍ଥୀ କିମ୍ବା ଦଳ ଯଦି କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରି ନିର୍ବାଚନ ପ୍ରଚାର କରନ୍ତି, ତା’ହେଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ରାଲି ଓ ସଭା ନିମନ୍ତେ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ଷ୍ଟାର କ୍ୟାମ୍ପେନର ଏହି ଗାଇଡଲାଇନ ଉଲ୍ଲଘଂନ କରନ୍ତି ତାଙ୍କୁ ମଧ୍ୟ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବାର ସୁଯୋଗ ମିଳିବ ନାହିଁ । ମୁଖ୍ୟସଚିବ ଓ ପୁଲିସ ଡିଜି ତଥା ଜିଲ୍ଲାସ୍ତରର ଅଧିକାରୀମାନେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ନିର୍ବାଚନ ପ୍ରଚାରର ପରିଚାଳନା, ତଦାରଖ ନିମନ୍ତେ ଉତ୍ତରଦାୟୀ ରହିବେ । ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀ ନିଶ୍ଚିତ ଭାବେ ୨ଡୋଜ୍ ଟିକା ନେଇଥିବା ଆବଶ୍ୟକ । ସେହିପରି ପ୍ରାର୍ଥୀ, ନିର୍ବାଚନ ଏଜେଣ୍ଟ, ପୁଲିଂ ଏଜେଣ୍ଟ, କାଉଣ୍ଟିଂ ଏଜେଣ୍ଟ, ଡ୍ରାଇଭର ଆଦି ସମସ୍ତେ, ଯେ କେହି ଲୋକ ଅବା ନିର୍ବାଚନ ଅଧିକାରୀଙ୍କ ସଂସ୍ପର୍ଶରେ ଆସିବେ ସେମାନେ ଡବଲ ଡୋଜ୍ ଟିକା ନେବା ଜରୁରୀ । ପ୍ରତ୍ୟେକ ପୁଲିଂ ଷ୍ଟେସନରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯିବ ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ଅକ୍ଟୋବର ୩ତାରିଖରେ ଗଣତି ହେବ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପନିର୍ବାଚନ ହେଉଛି । ସେଠାରେ ୨୦୨୧ ମେ’ ୧୬ତାରିଖରେ ଭୋଟଗ୍ରହଣ ହେବାର ଥିଲା, କିନ୍ତୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ପାଇଁ ତାହା ସ୍ଥଗିତ ରହିଥିଲା । ମଇଦାନରେ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।