ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ


#କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପାଗା ଗ୍ରାହକସେବା କେନ୍ଦ୍ରରୁ ଡକାୟତି କରିବା ଘଟଣାରେ ଏକ ଆନ୍ତଃଜିଲ୍ଲା ଡକାୟତି ଦଳର ୪ ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳର ଦୁଇ ଭାଇ ଦୀପୁ ଓରଫ ଚକ୍ରଧର ସେଠୀ(୨୩) ଓ ଲିପୁ ଓରଫ କ୍ଷୀରୋଦ ଚନ୍ଦ୍ର ସେଠୀ(୨୦)ଙ୍କ ସମେତ ଚିକୁ ଓରଫ ଖଗେଶ୍ୱର ଜେନା(୨୭), ଏରସମା ଥାନା ଅଞ୍ଚଳର ବାବୁ ଓରଫ ପ୍ରତାପ ଦାସ(୨୭) ବୋଲି ଜଣାପଡ଼ିଛି । ଏମାନେ ଗତ ମାସରେ ପାଗା ସ୍ଥିତ ଗ୍ରାହକ ସେବା କେନ୍ଦ୍ରରୁ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏମାନଙ୍କ ଠାରୁ ୨ଟି ବାଇକ, ବନ୍ଧୁକ ଓ ନଗଦ ୧ଲକ୍ଷ ଟଙ୍କା ଜବତ ହୋଇଥିବା ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ପାଗା ନିକଟସ୍ଥ ପୁରୁଷୋତ୍ତମ ପୁର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଗ୍ରାହକ ସେବା କେନ୍ଦ୍ର ରହିଛି । ତେବେ ଗତ ମାସ ୪ତାରିଖ ଦିନ ପ୍ରାୟ ୧୨ଟାରେ ହଠାତ ୨ଜଣ ଦୁର୍ବୃତ୍ତ ଏକ କଳା ପଲସର ବାଇକରେ ଆସି ହଠାତ୍ ଭିତରକୁ ପଶି ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ କେନ୍ଦ୍ରର ପରିଚାଳକ ଅୟସକାନ୍ତ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ୟାସବାକ୍ସରୁ ୧ ଲକ୍ଷ ୨୯ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ କେନ୍ଦ୍ର ପରିଚାଳକ ଶ୍ରୀ ସାହୁ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଇପିସିର ୩୯୪, ୩୯୫, ୩୦୭, ୪୭୧ ଦଫା ଏବଂ ୨୫/୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଉକ୍ତ କେନ୍ଦ୍ର ଓ ପାଖଆଖ ଅଞ୍ଚଳର ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରିବା ପରେ ଲୁଟେରା ଦ୍ୱୟ ବିଷୟରେ ଜାଣିବାକୁ ପାଇଥିଲା । ତେବେ ଏମାନେ ସମସ୍ତେ ପେସାଦାର ଲୁଟେରା ବୋଲି ଜଣାପଡ଼ିଛି । ଲୁଟପାଟ ପରେ ଏହି ଦୁଇ ଜଣ ଉକ୍ତ ପଲସର ବାଇକକୁ ଏସକର୍ଟ କରି ସାଲେପୁର ଦେଇ ଜଗତସିଂହପୁର ଚାଲିଯାଇଥିଲେ ବୋଲି ଜେରା ପରେ ୪ ଅଭିଯୁକ୍ତ ସ୍ୱୀକାର କରିଥିଲେ । ଏମାନଙ୍କ ଠାରୁ ଲକ୍ଷେ ଟଙ୍କା ସହ ଲୁଟରେ ବ୍ୟବହୃତ ପଲସର ଓ ସାଇନ ୨ଟି ବାଇକ, ଗୋଟିଏ ୯-ଏମଏମ ପିସ୍ତଲ, ଖେଳନା ବନ୍ଧୁକ, ଦୁଇଟି ଗୁଳି, ଖଣ୍ଡା, ହେଲମେଟ, ଫେକ ନମ୍ବର ପ୍ଳେଟ ଓ ୫ଟା ମୋବାଇଲ ଜବତ ହୋଇଛି । ଅଧିକ ତଦନ୍ତ ପରେ ଏହି ଡକାୟତି ଦଳ କଟକ ସମେତ ଜଗତସିଂହପୁର, ଯାଜପୁର ଜିଲ୍ଲାରେ ସକ୍ରିୟ ଥିବା ଜଣାପଡିଛି । ଏମିତିକି ବାବୁ ନିକଟରେ ବଇରି ଓ ସାଲେପୁର ଥାନା ଅଞ୍ଚଳରେ ଲୁଟପାଟ କରିଥିଲା । ଗିରଫ ୪ ଅଭିଯୁକ୍ତଙ୍କ ନାଁରେ ଶରଣକୁଳ, ଏରସମା, ଖୁଣ୍ଟୁଣୀ, ସାଲେପୁର, ବଇରି, ଟାଙ୍ଗୀ, ଚୌଦ୍ୱାର ଥାନାରେ ୨୧ଟି ମାମଲା ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ମାତ୍ର ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ଲାଗି ଉଦ୍ୟମ ଜାରି ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ