ପରଲୋକରେ ହୁସେନ ରବି ଗାନ୍ଧୀ
#କଟକ(ଏନ୍.ଏମ୍.): ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି । କଟକ ବଡ଼ମେଡ଼ିକାଲ (ଏସସିବି)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ଗତକାଲି ଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି । ସେ ଏକାଧାରରେ ଜଣେ ସୁ-ସାହିତ୍ୟିକ, ବରିଷ୍ଠ ରାଜନେତା ତଥା ବିଶିଷ୍ଟ ସଂଗଠକ ଥିଲେ । ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ହୁସେନ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର ଜିଲ୍ଲାର ହଳଦୀଗଡିଆ ଗାଁର ମୁଫତିବାଗରେ ତାରାକୋଟର ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠ ପୁତ୍ର ଏବଂ ତାରାକୋଟ ରାଜ୍ୟର ଶେଷ ଶାସକ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂରଙ୍କ ନାତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ । ସେ ୧୩ଟି ପୁସ୍ତକର ରଚୟିତା । ଏଥିମଧ୍ୟରେ ମୁକ୍ତ ପୁର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ, ନିୟନ୍ତ ରାତିର ସ୍ୱପ୍ନ, ବିଂଶରୁ ଏକ ବିଂଶ, ଶବ୍ଦ ବ୍ରହ୍ମ, ଲୋକଗୀତ, ହଜି ଯାଇଥିବା ମଣିଷ ଓ ପୁନଶ୍ଚ ସାଲବେଗ । ସେହିପରି ଗଳ୍ପ ସଙ୍କଳନ ମଧ୍ୟରେ ରହିଛି ଆଜିର ଗଳ୍ପ ଓ ଗଳ୍ପ ସମାରୋହ ଆଦି ବେଶ୍ ଚର୍ଚ୍ଚିତ । ହୁସେନ ରବି ଗାନ୍ଧୀ ‘ଉତ୍କଳ ପ୍ରସଙ୍ଗ’ର ବି ସମ୍ପାଦନା କରିଥିଲେ । ଛାତ୍ର ଜୀବନରୁ ହୁସେନ ରବି ଗାନ୍ଧୀ ରାଜନୀତିରେ ସକ୍ରିୟ ଥିଲେ । ସେ ସମ୍ବଲପୁରର ଗଙ୍ଗାଧର ମହାବିଦ୍ୟାଳୟର ସଭାପତି ନିର୍ବାଚିତ ହୋଇଥିଲେ । ତେବେ ୧୯୮୫ ମସିହାରେ ବିଧାନସଭା ନିର୍ବାଚନରେ ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ଜାଗ୍ରତ ଓଡ଼ିଶାର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇ ହୋଇଥିଲେ । ଏହାପରେ ୧୯୮୮ମସିହାରେ ଜନତା ଦଳରେ ଯୋଗ ଦେଇଥିଲେ । ତାଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଥିଲା । ୧୯୯୮ରେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନଠାରୁ ୨୦୦୫ ଯାଏ ସେ ବିଜେଡିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ହୁସେନ ରବି ଗାନ୍ଧୀଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜର ଶୋକବାର୍ତ୍ତାରେ କହିଛନ୍ତି । ସେହିଭଳି ତାଙ୍କ ପରଲୋକଗତ ଖବର ପାଇ କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ରମଜାନ ଖାନ, ଜୟଦେବ ଜେନାଙ୍କ ସମେତ ବହୁ କର୍ପୋରେଟର, ବୁଦ୍ଧିଜୀବୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।