ପରଲୋକରେ ଲୋକପ୍ରିୟ ଅଭିନେତା ମିହିର ଦାସ
କଟକ(ଏନ୍.ଏମ୍.): ପରଲୋକରେ ବିଶିଷ୍ଟ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ୬୩ବର୍ଷ ବୟସରରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଓଡ଼ିଆ ସିନେ ଜଗତ ସହିତ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଅଭିନୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
କିଛି ଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ମିହିର ଦାସଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରିଦେଇଥିଲା । ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା । ଯେଉଁ କାରଣରୁ ତାଙ୍କର ଡାଇଲିସିସ୍ ଚାଲିଥିଲା । ହେଲେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା । ତେବେ ଆଜି ୨୦୨୨ଜାନୁଆରୀ ୧୧ (ମଙ୍ଗଳବାର)ଦିନ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଅମ୍ଳାନ ଉପସ୍ଥିତ ଥିଲେ । ତେବେ ଓଲିଉଡରେ ବେଶ ଲୋକପ୍ରିୟତା ହାସଲ କରିଥିବା କଳାକାର ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ । ତାହା ଥିଲା ‘ସ୍କୁଲ୍ ମାଷ୍ଟର’ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରି ଓଲିଉଡରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା । ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ସଜାଇ ଦେଇଥିଲା । ସେ ତିନି ଦଶନ୍ଧି ଧରି ଓଲିଉଡ଼ର ରାଜ୍ କରୁଛନ୍ତି । ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଠିକ୍ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ୨୦୦୭ରେ ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ସେ କେବଳ ଓଡ଼ିଆ ଫିଲ୍ମ କରିନାହାନ୍ତି ବରଂ ବେଙ୍ଗଲୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପୂର୍ବରୁ ତାଙ୍କ ପତ୍ନୀ ସଂଗୀତା ଦାସଙ୍କର ଦେହାନ୍ତ ହୋଇଥିଲା । ତେବେ ମିହିରଙ୍କ ମୃତ୍ୟୁ ଖବର ପାଇ କଟକ, ଭୁବନେଶ୍ୱରର ବହୁ କଳାକାର, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ପଯୋଜକ ତଥା ଚଳଚ୍ଚିତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମିହିର କେବଳ ଜଣେ ଅଭିନେତା ଥିଲେ ତାହା ନୁହେଁ ବହୁ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଜନସେବାରେ ନିଜକୁ ସାମିଲ କରିପାରିଥିଲେ ।