ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ
#ଆଠଗଡ଼(ଏନ୍.ଏମ୍.): ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଚଳ ଚଞ୍ଚଳ ହେଉଛି ଗାଆଁ ଠୁ ସହର । ରାଜ୍ୟ କୋଣ ଅନୁକୋଣରେ ଥିବା ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ । ସବୁଠି ମହାଶିବରାତ୍ରିର ମହାଦୀପ ଦର୍ଶନ ପାଇଁ ଜାଗର ଜାଳି ଉଜାଗର ହୋଇଛନ୍ତି ଶୈବ ପ୍ରେମୀ । ସେହିଭଳି କଟକ ଜିଲ୍ଲାର ପ୍ରଖ୍ୟାତ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ପବିତ୍ର ଜାଗର ଯାତ୍ରା ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଆଠଗଡ ଦେବୋତ୍ତର ପ୍ରଶାସନ, ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଲୋଭିଡ କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେଲା ବାବାଙ୍କ ଜାଗର ଯାତ୍ରାକୁ ଭକ୍ତମାନେ ଉପଭୋଗ କରିବାରୁ ବଞ୍ଚିତ ହୋଇଥିଲେ । ଚଲିତ ବର୍ଷ ଭକ୍ତମାନଙ୍କ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟବ୍ରତ ଲେଙ୍କାଙ୍କ ନିର୍ଦ୍ଦେଶରେ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପୀଠରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ପୀଠ ମଧ୍ୟକୁ ଯିବାକୁ ନିକଟରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ରାସ୍ତାରେ କୌଣସି ଅଘଟଣ ଏଡାଇବାକୁ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ଅଗ୍ନୀଶମ ବାହିନୀକୁ ମଧ୍ୟ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ମୁତୟନ କରାଯାଇଛି । ଆଜି ଭୋର ୪ ଘଟିକାରୁ ବାବାଙ୍କ ପହଡ଼ ଖୋଲାଯାଇ ମହାସ୍ନାନ ପରେ ସମସ୍ତ ନୀତିକାନ୍ତି ଶେଷ କରାଯାଇ ସକାଳୁ ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ତେବେ ରାତ୍ର ୧୨ ଘଟିକା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଆଠଗଡ଼ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ହେମନ୍ତ କୁମାର ସ୍ୱାଇଁ ଓ ତହସିଲଦାର ପ୍ରିୟବ୍ରତ ଦାସ ପୀଠରେ ଉପସ୍ଥିତ ରହି ଯାତ୍ରାର ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ବାବାଙ୍କ କରୁଣା ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଝୁଲାପୋଲ ମରାମତି ଅବସ୍ଥାରେ ରହିଥିବାରୁ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱର ପୀଠକୁ ଆସୁଛନ୍ତି । ଶଙ୍ଖ ହୁଳହୁଳି, ହରିବୋଲ, ହର ହର ମହାଦେବ ନାଦରେ କମ୍ପୁଛି ମନ୍ଦିର ପରିସର । କଟକର ସମସ୍ତ ଶୈବ ମନ୍ଦିର ମଧ୍ୟରେ ଅନ୍ୟତମ ହେଉଛନ୍ତି ବାବା ଧବଳେଶ୍ୱର । ବାବା ଧବଳେଶ୍ୱରଙ୍କ ପୀଠରେ ବେଶ ଆଡ଼ମ୍ବର ସହ ପାଳନ ହେଉଛି ଜାଗର । ଗୋଟିଏ ପଟେ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମୟ ଗଡ଼ିବା ସହ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ଅସ୍ଥାୟୀ ରାସ୍ତାରେ ରାତ୍ରି ସମୟ ପାଇଁ ୧୫ଟି ଆସ୍କା ଲାଇଟ ମହଜୁତ ରଖାଯାଇଛି । ଏହାଛଡ଼ା ୮ ଜଣ ମାଜିଷ୍ଟ୍ରେଟ ନିୟୋଜିତ ରହିଛନ୍ତି । ଗାଡି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ଦିଗରେ କଟକ ଜିଲ୍ଲା ପ୍ରଶାସନ ମଧ୍ୟ ତୀକ୍ଷ୍ନ ନଜର ରଖିଛି ।