ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ
କଟକ(ଏନ୍.ଏମ୍.): ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦଉଲ ଫିତର ପର୍ବ ପାଳନ ନେଇ କଟକ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାଗ ଥାନା ଅନ୍ତର୍ଗତ ରୟାଲ ଗାର୍ଡେନ ଠାରେ ଆୟୋଜିତ ଏହି ବୈଠକରେ ଡିସିପି ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ସହରର ସବୁ ମସଜିଦ କମିଟିର କର୍ମକର୍ତ୍ତା, ମୁସଲିମ ସାହି ବସ୍ତିର ମୁରବିମାନେ ଯୋଗ ଦେଇଥିଲେ ।
ବିଶେଷକରି ବୈଠକରେ ଚଳିତ ରମଜାନ ମାସ ଓ ଇଦ ସମୟରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ତେଣୁ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଯଦି କୌଣସି ଅପ୍ରିତିକର ବିଷୟ ଶୁଣିବାକୁ ପାଉଛନ୍ତି, ତାହାଲେ ତୁରନ୍ତ ପୁଲିସକୁ ଜଣାଇବାକୁ କୁହାଯାଇଛି । ସେହିପରି ଆଇନ ଶୃଙ୍ଖଳା ପାଇଁ ସହରର ସବୁ ମୁସଲିମ ସାହି ବସ୍ତି ଓ ମସଜିଦ ପାଖରେ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ରୋଜା ମାସର ବାକି ଦିନ ଗୁଡିକରେ ପିଇବା ପାଣି ଓ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ଉପସ୍ଥିତ ମୁରବିମାନେ ଅନୁରୋଧ କରିଥିଲେ । ସେହିପରି ସମୂହ ନମାଜ ପାଠ ବେଳେ କିଛି ମସଜିଦ ବାହାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ତେଣୁ ପ୍ରାର୍ଥନା ଶେଷ ପର୍ଯ୍ୟନ୍ତ ସେହି ରାସ୍ତାରେ ଟ୍ରାଫିକର ସୁପରିଚାଳନା ପାଇଁ ପୁଲିସକୁ ଅନୁରୋଧ କରାଯାଇଛି । ବୈଠକରେ ବାଲୁବଜାର ଜୁମ୍ମା ମସଜିଦର ସଭାପତି ଏକ୍ରାମ ହୁସେନ, ଛୋଟି ମସଜିଦର ସଭାପତି ସୟଦ ଜବିଉଲ୍ଲା, ଯୋବ୍ରା ମୁସଲିମ ସାହିର ସର୍ଦ୍ଦାର ମହମ୍ମଦ ଫରିଦ ଓ କଦମରସୁଲ ମ୍ୟାନେଜିଂ କମିଟିର ସଭାପତି ରମଜାନ ଖାନ ପ୍ରମୁଖ ସାମିଲ ହୋଇଥିଲେ । ପୁଲିସ ପକ୍ଷରୁ ଏଡିସିପି ପ୍ରମୋଦ ରଥ, ଏଡିସିପି ଅନିଲ ମିଶ୍ର, ଏଡିସିପି ସେକ ସରଫିଉଦ୍ଦିନଙ୍କ ସମେତ ସମସ୍ତ ଜୋନର ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ।