ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ

ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ

ପଦ୍ମପୁର ଉପନିର୍ବାଚନ
ବାଜି ମାରିନେଲେ ବର୍ଷା: ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ


ଭୁବନେଶ୍ୱର (ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ବିଜେଡି ନିଜର ଦପଦପାକୁ ଜାହିର କରିଛି । ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ପରେବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାଜି ମାରି ନେଇଛନ୍ତି । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି । ବର୍ଷା ସିଂହ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପିର ପ୍ରଦୀପ ପୁରୋହିତ ୭୮ ହଜାର ୧୨୮ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ୍ ମିଳିଛି । ତେବେ ପ୍ରଥମ ରାଉଣ୍ଡରୁ ବର୍ଷା ଆଗୁଆ ରହିଥିଲେ । ମୋଟ ୨୩ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଆଗୁଆ ରହିଥିଲା । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ । ପ୍ରଥମ ରାଉଣ୍ଡର ଏହି ସ୍ଥିତି ପରବର୍ତ୍ତୀ ରାଉଣ୍ଡ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା । ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟରେ ଆଗରେ ରହିଥିଲେ । କ୍ରମଶଃ ଭୋଟ୍ ବ୍ୟବଧାନ ବଢ଼ି ଚାଲିଥିଲା । ୧୦ମ ରାଉଣ୍ଡ ଶେଷ ବେଳକୁ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୯, ୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ । ଏହା ପରେ ଆହୁରି ୧୩ ରାଉଣ୍ଡ ଗଣତି ଥିବାରୁ ବିଜେପି ପ୍ରାର୍ଥୀ ୪୦ ହଜାରରୁ ଅଧିକ ଭୋଟରେ ହାରିବେ ବୋଲି ରାଜନୀତିକ ସମୀକ୍ଷକମାନେ ଆକଳନ କରିଥିଲେ । ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡ଼ିଥିଲା । ଗତ ୫ ତାରିଖରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଏଥର ଏଠାରେ ରେକର୍ଡ ୮୨. ୨୯% ଭୋଟିଂ ହୋଇଥିଲା । ତେଣୁ ଏଠାରେ ଶାସକ ଦଳ ପରାଜୟ ବରଣ କରିବ ବୋଲି ବେଶ ଚର୍ଚ୍ଚା ହୋଇଥିଲା । ହେଲେ ଫଳାଫଳ ଘୋଷଣା ପରେ ଭୋଟର ହୃଦୟକୁ କିଏ ଜିତିଛି ତାହା ଜଣାପଡ଼ି ଯାଇଛି ।
ଅନ୍ୟପକ୍ଷରେ ବିଜେପି ମଧ୍ୟ ନିଜ ଭୋଟ୍ ବଜାୟ ରଖିଛି । ୨୦୧୯ ବିଧାନସଭା ନିର୍ବାଚନକୁ ଦେଖିଲେ ବିଜେପିର ଭୋଟ୍ ଖସି ନାହିଁ । ଦଳ ତା’ର ଭୋଟ୍ ପାଇଛି । ୨୦୧୯ରେ ପ୍ରଦୀପ ପୁରୋହିତ ୭୭,୫୬୫ ଖଣ୍ଡ ପାଇଥିଲେ । ଏଥର ସେ ୭୮,୧୨୮ଖଣ୍ଡ ଭୋଟ୍ ପାଇଛନ୍ତି । ଅର୍ଥାତ୍ ସେ ଏଥର ୫୬୩ ଖଣ୍ଡ ଅଧିକ ଭୋଟ୍ ପାଇଛନ୍ତି । କିନ୍ତୁ ତାହା ତାଙ୍କୁ ବିଜୟୀ କରାଇପାରି ନାହିଁ । ଅନ୍ୟପକ୍ଷରେ ବିଜେଡିର ଭୋଟ୍ ସଂଖ୍ୟା ବହୁତ ବଢ଼ିଛି । ୨୦୧୯ରେ ବର୍ଷା ସିଂ ବରିହାଙ୍କ ବାପା ସ୍ୱର୍ଗତ ବିଜୟ ସିଂ ବରିହା ୮୩,୨୯୯ ଖଣ୍ଡ ଭୋଟ୍ ପାଇଥିଲେ । ଏହି ଉପ-ନିର୍ବାଚନରେ ବର୍ଷା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ପାଇଛନ୍ତି । ଅର୍ଥାତ୍ ବିଜେଡି ଖାତାରେ ଆହୁରି ୩୭,୫୦୮ ଖଣ୍ଡ ଅଧିକ ଭୋଟ୍ ପଡ଼ିଛି । ତେବେ କଂଗ୍ରେସର ଭୋଟ୍ ବିଜେଡି ଖାତାରେ ପଡ଼ିଥିବା ଚର୍ଚ୍ଚା ହୋଇଛି । କାରଣ ଉଭୟ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ ୩୨,୭୮୭ ଖଣ୍ଡ ଭୋଟ୍ ପାଇଥିଲେ । ଏହି ଉପ-ନିର୍ବାଚନରେ ସେ ପୁଣି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଭୋଟର ତାଙ୍କ ଉପରେ ଭରସା ନକରିବାରୁ ତାଙ୍କୁ ମାତ୍ର ୩୫୯୪ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅର୍ଥାତ୍ କଂଗ୍ରେସର ୨୯,୧୯୩ ଖଣ୍ଡ ଭୋଟ୍ ହ୍ରାସ ପାଇଛି । ଏହି ନିର୍ବାଚନରେ ଅନ୍ୟପ୍ରାର୍ଥୀମାନଙ୍କ ମଧ୍ୟରେ ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୩୪୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୨୬୬, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୩୯୯, ଗଙ୍ଗାଧର ସାହାଙ୍କୁ ୩୯୭, ଦେବାର୍ଚ୍ଚନ ନାଏକଙ୍କୁ ୫୪୧, ବୃନ୍ଦାବନ ପୁରୋହିତଙ୍କୁ ୫୭୪ ଓ ଶେଷଦେବ ସାହୁଙ୍କୁ ୧୧୬୮ ଖଣ୍ଡ ଭୋଟ୍ ମିଳିଛି । ଅନ୍ୟପକ୍ଷରେ ନୋଟାରେ ୨୦୮୭ ଖଣ୍ଡ ଭୋଟ୍ ପଡ଼ିଛି । ଅର୍ଥାତ୍ ଏହି ଉପ-ନିର୍ବାଚନର ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୮୭ ଜଣ ଭୋଟର କାହାରିକୁ ପସନ୍ଦ କରି ନାହାନ୍ତି । ପଦ୍ମପୁର ଫଳାଫଳ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜନମତକୁ ସ୍ୱୀକାର କରିବା ସହିତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ । ଜନକଲ୍ୟାଣ ଓ ଲୋକସମ୍ପର୍କ ଦ୍ୱାରା ଲୋକଙ୍କ ଆସ୍ଥା ଜିତିବାକୁ ଚେଷ୍ଟା କରିବା ସହ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବୁ ।

ତେବେ ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ । ବିଜେଡି ନିଜର ୧୫ ମନ୍ତ୍ରୀ ଓ ପ୍ରାୟ ୪୦ରୁ ଅଧିକ ବିଧାୟକଙ୍କ ସମେତ ଶତାଧିକ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଷ୍ଟାର ପ୍ରଚାରକ ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରତାପ କେଶରୀ ଦେବ, ରାଜେନ୍ଦ୍ର ଢୋଲକିଆ, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ରୋହିତ ପୂଜାରୀ, ଟୁକୁନି ସାହୁ ଓ ରୀତା ସାହୁ ଥିବାବେଳେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅରୁଣ ସାହୁ, ସୁଶାନ୍ତ ସିଂହ, ଶାରଦା ନାୟକ, ପ୍ରଶାନ୍ତ ମୁଦୁଲି, ମନୋହର ରନ୍ଧାରୀ, ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମଲ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ବିକ୍ରମ ପଣ୍ଡା, ରାଜେନ୍ଦ୍ର କୁମାର ସାହୁ, ଚନ୍ଦ୍ରସାରଥୀ ବେହେରା, ବ୍ରଜ କିଶୋର ପ୍ରଧାନ ଓ ଅଳକା ମହାନ୍ତି ଥିବାବେଳେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, କଳିକେଶ ନାରାୟଣ ସିଂହଦେଓ, ବିଭୂତି ବଳବନ୍ତରାୟ, ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଦୀପ ମାଝୀ, ଆକାଶ ଦାସ ନାୟକ, ଶ୍ରୀମୟୀ ମିଶ୍ର, ଅରିନ୍ଦମ ରାୟ ଓ ସତ୍ୟବ୍ରତ ତ୍ରିପାଠୀ(କୁନା) ଦାୟିତ୍ୱ ନେଇଥିଲେ । ତେବେ ସମସ୍ତଙ୍କ ନିଷ୍ଠାପୂର୍ଣ୍ଣ ଉଦ୍ୟମ ଯୋଗୁଁ ପଦ୍ମପୁରରେ ବିଜେଡିର ଶଙ୍ଖନାଦ ଶୁଣିବାକୁ ମିଳିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ