ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


କଟକ(ଏନ୍‌.ଏମ୍‌.): ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବୀରେନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ୨୦୨୧, ଅକ୍ଟୋବର ୧ରେ ପଞ୍ଚାୟତିରାଜ ସଚିବ ସଂରକ୍ଷଣ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ । ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଥିଲା । ସବୁ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ୱାର୍ଡ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଆସନ ସଂରକ୍ଷଣ କରାଯିବ । ଏ ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ପଞ୍ଚାୟତିରାଜ ବିଭାଗ ସଂରକ୍ଷଣ ସଂକ୍ରାନ୍ତରେ ଚୂଡାନ୍ତ ରିପୋର୍ଟ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବ । ତା’ ପରେ ନିର୍ବାଚନ କମିସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପଞ୍ଚାୟତିରାଜ ସଚିବଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ଗ୍ରାମ, ପଞ୍ଚାୟତ, ବ୍ଲକ, ଜିଲ୍ଲାରେ ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି (ଏସ୍‌ଟି) ଜନସଂଖ୍ୟାକୁ ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ । ସଂରକ୍ଷଣ ବେଳେ ଆସନ ପରିବର୍ତ୍ତନ ବେଳେ ଗତ ଚାରିଟି ନିର୍ବାଚନକୁ ବିଚାରକୁ ନିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ଏପରି ବିଜ୍ଞପ୍ତି ଅସାମ୍ବିଧାନିକ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୯୪ରେ ସଂଶୋଧନ କରାଯିବା ପରେ ୧୯୯୭ରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । କିନ୍ତୁ ଗତ ୪ଟି ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ବିଚାରକୁ ନିଆଯିବ ବୋଲି କୁହାଯିବା ବେଆଇନ ବୋଲି ସେ ଦର୍ଶାଇଛନ୍ତି । ଏଥି ସହିତ ସାରା ରାଜ୍ୟରେ ଏସ୍‌ସି ଓ ଏସ୍‌ଟି ଜନସଂଖ୍ୟାକୁ ବିଚାରକୁ ନିଆଯାଇ ଆସନ ସଂରକ୍ଷଣ କରାଯିବା କଥା । କିନ୍ତୁ ଏପରି କରାଯାଇ ନାହିଁ । ଏଭଳି ସ୍ଥିତିରେ ପଞ୍ଚାୟତିରାଜ ସଚିବଙ୍କ ବିଜ୍ଞପ୍ତି ଅବୈଧ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି