ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ
#କଟକ(ଏନ୍.ଏମ୍.): ନ୍ୟୁଡ କଲ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଆଜି କମିଶନରେଟ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନ ଭରତପୁରରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ ହୋଇଛି । ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ନ୍ୟୁଡ୍ କଲ କରି କଟକ ଟାଉନର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ସାଇବର ଠକେଇ କରିଥିଲେ । ଏନେଇ କଟକ ସାଇବର ଥାନାରେ ମାର୍ଚ୍ଚ ୨୨ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସକୁ ରାଜସ୍ଥାନ ଭରତପୁର ଜିଲ୍ଲାର ଲିଙ୍କ ମିଳିଥିଲା । ଏହା ପରେ ପୁଲିସର ଗୋଟିଏ ଟିମ୍ ଭରତପୁର ଯାଇ ସେ ଠାରେ ୧୦ରୁ ୧୨ ଦିନ ରହି ଦୁଇ ସାଇବର ଠକ ମହମ୍ମଦ ଆଜାରୁଦ୍ଦିନ ଆନସାରୀ ଓରଫ ବିଲାଲ୍ ଓ ସାକିର ଖାନଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି । ଦୁଇ ଅଭିଯୁକ୍ତଙ୍କୁ କଟକରେ କୋର୍ଟରେ ହାଜର କରାଯାଇଥିଲା । ପରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ପୁଲିସ୍ ଦୁଇ ଅଭିଯୁକ୍ତଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ ଟି ମୋବାଇଲ ଫୋନ୍ ଓ ୨୦ଟି ସିମ୍ କାର୍ଡ ଜବତ କରିଛି । କଟକ ଡିପିସି ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଗ୍ୟାଙ୍ଗରେ ୭ରୁ ୮ ଜଣ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି । ସେମାନେ ଆଉ କେଉଁ କେଉଁ ଅପରାଧରେ ସମ୍ପୃକ୍ତ ରହିଛନ୍ତି, ତାହା ଉପରେ ତଦନ୍ତ ଚାଲିଛି । ଗିରଫ ଅଭିଯୁକ୍ତମାନେ ଫେସବୁକରେ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲେ । ପରେ ମେସେଞ୍ଜର ଆପ୍ ମାଧ୍ୟମରେ ମୋବାଇଲ୍ ନମ୍ୱର ହାତଉଥିଲେ । ତା’ପରେ ହ୍ୱାଟ୍ସଆପରେ ଚାଟିଂ କରୁଥିଲେ । କଥାବାର୍ତ୍ତା ସମୟରେ ନ୍ୟୁଡ୍ ଭିଡିଓ ଓ ଫଟୋ ପଠାଇ ବ୍ଲାକମେଲିଂ କରୁଥିଲେ ।