ନେମାଳ ଡକାୟତି ଓ ହତ୍ୟା ମାମଲାର ପର୍ଦାଫାଶ : ସମ୍ପର୍କୀୟ ନାତିକୁ ଗିରଫ କଲା ପୁଲିସ
କଟକ/ସାଲେପୁର (ଏନ୍.ଏମ୍.): ନେମାଳ ଲେଣ୍ଡୁରା ଭଗବାନପୁର ଡକାୟତି ଓ ହତ୍ୟା ମାମଲାରେ ପୁଲିସ ପର୍ଦ୍ଦାଫାଶ କରିଛି । ଡକାୟତ ନୁହେଁ ନିଜେ ମୃତକଙ୍କ ସମ୍ପର୍କୀୟ ନାତି ଯୋଜନାବଦ୍ଧ ଭାବେ ଭିଆଇଥିଲା ଏହି ଅଭାବନୀୟ କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି । ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯)ଙ୍କୁ ପୁଲିସ ଗିରଫ କରିଛି । ଓମ୍ ପ୍ରକାଶ ଠାରୁ ଲୁଟ ହୋଇଥିବା ଅଳଙ୍କାର ଓ ଟଙ୍କା ଜବତ ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଲେଣ୍ଡୁରା ଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି (୬୯) ସ୍ଥାନୀୟ ଅନନ୍ତେଶ୍ୱର ନୋଡ଼ାଲ୍ ଉଚ୍ଚବିଦ୍ୟାଳୟର କିରାଣି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ପତ୍ନୀ କନକଲତା (୫୮), ଗୋଟିଏ ପୁଅ ଓ ଝିଅକୁ ନେଇ ହୃଷୀକେଶଙ୍କ ପରିବାର । ପୂର୍ବରୁ ଝିଅର ବିବାହ ହୋଇଯାଇଥିଲା ବେଳେ ପୁଅ କଟକରେ ରହି ପଢୁଛନ୍ତି । ଘରେ ହୃଷୀକେଶ ଓ ପତ୍ନୀ କନକଲତା(୫୮) ରହୁଥିଲେ । ଗତକାଲି ରାତିରେ ପତିପତ୍ନୀଙ୍କ ସହ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯) ତାଙ୍କ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ କବାଟ ଖୋଲିବା ପାଇଁ ହୃଷୀକେଶଙ୍କ ନାମ ଧରି ଡାକିଥିଲେ । ଡାକ ଶୁଣି ଦମ୍ପତ୍ତି କବାଟ ଖୋଲିଥିଲେ ବୋଲି ନାତି ଓମ୍ ପ୍ରକାଶ କହିଛନ୍ତି । ଏହାପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆକ୍ରମଣ କରି ମାରଣାସ୍ତ୍ରରେ ହୃଷୀକେଶଙ୍କ ଗଳାକୁ କାଟି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ କନକଲତା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଲହୁଲୁହାଣ ଅବସ୍ଥାରେ କନକଲତା ଅଚେତ ହୋଇ ପଡ଼ି ଯାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ନାତି ଓମ୍ ପ୍ରକାଶଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ପ୍ରତିବାଦ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଏକ କୋଠରୀରେ ପୂରାଇ ଦେଇଥିଲେ । ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ସୁନା, ରୁପା ଅଳଙ୍କାର, ଟଙ୍କା ଆଦି ଲୁଟି ନେବା ସହିତ ଆଲମିରାରେ ଥିବା କାଗଜପତ୍ର, ହୃଷୀକେଶ ଘୋଡ଼ାଇ ହୋଇଥିବା କମ୍ବଳ ଆଦିରେ ନିଆଁ ଲଗାଇ ପଳାଇ ଯାଇଥିଲେ । ରାତି ପ୍ରାୟ ୪ଟାରେ ନାତି ଓମ୍ ପ୍ରକାଶଙ୍କ ଡାକ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହୃଷୀକେଶଙ୍କ ମୃତଦେହ ଓ କନକଲତା ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ । କନକଲତାଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେ କୋମାରେ ଥିବା ସୂଚନା ମିଳିଛି । ତେବେ ଏସବୁ ଘଟଣା ନାତି ଓମପ୍ରକାଶ ତିଆରି କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ମୃତକଙ୍କ ଭାଇ ନୃସିଂହଚରଣ ମୁଦୁଲି ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (କେସ୍ ନଂ-୨୧୯/୨୨) ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା । କଟକରୁ ହୃଷୀକେଶଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।