ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ,
ଖୁଡି, ବାପା ଓ ପଡୋଶୀଙ୍କ ସମେତ ୪ ଗୁରୁତର
#କଟକ(ଏନ୍.ଏମ୍.): ନିଶାସକ୍ତ ଯୁବକର ଅଭାବନୀୟ କାଣ୍ଡ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଏକ କଟୁରୀ ଧରି ଉକ୍ତ ଯୁବକ ୪ଜଣଙ୍କୁ ଗୁରୁତର ଆହତ କରି ଫେରାର ହୋଇ ଯାଇଛି । ତେବେ ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ଗୁହାଳଡିହ ଗ୍ରାମର ସୁରେଶ ମହାନ୍ତି (୩୦) ନାମକ ଜଣେ ନିଶାସକ୍ତ ଯୁବକ ହଠାତ ଏଭଳି ଉନ୍ମକ୍ତ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଥିଲା । ନିଜର ବାପା ଓ ଖୁଡିଙ୍କ ସହ ପଡିଶାଘର ୨ଜଣଙ୍କୁ କଟୁରୀରେ ହାଣି ଗୁରୁତର କରି ଫେରାର ହୋଇ ଯାଇଛି । ବିଶେଷ କରି ନିଜ ଖୁଡିର ଡାହାଣ ହାତକୁ ହାଣି ଛିଣ୍ଡାଇ ଦେବା ଘଟଣା ସମସ୍ତଙ୍କ ଚକିତ କରିଛି । ମିଳିଥିବା ଖବର ଅନୁଯାୟୀ, ଶରତ ମହାନ୍ତିଙ୍କ ପୁଅ ସୁରେଶ କୌଣସି କାମ ଧନ୍ଦା ନକରି ସର୍ବଦା ନିଶାରେ ବୁଡି ରହିଥାଏ । ବିଭିନ୍ନ ସମୟରେ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରେ । ତେବେ ଶନିବାର ଅପରାହ୍ନରେ ନିଶାସକ୍ତ ହୋଇ ସ୍ଥାନୀୟ ପୋଖରୀକୁ ଶୌଚ ନିମନ୍ତେ ଆସିଥିବା ଖୁଡି ସୁକାନ୍ତିକୁ ପ୍ରଥମେ ଆକ୍ରମଣ କରିଥିଲା । ବାପା ଶରତ ବିରୋଧ କରିବାରୁ ତାଙ୍କୁ ହାଣିବା ସହ ପଡୋଶୀ ରଞ୍ଜୁଲତା ବିଶ୍ୱାଳ ଓ ପ୍ରମିଳା ବିଶ୍ୱାଳ(ଉଭୟ ଶାଶୁ ବୋହୁ)ଙ୍କୁ କଟୁରିରେ ହାଣି କ୍ଷତାକ୍ତ କରିଥିଲା । ଦୁଇ ହାତରେ ୨ଟି କଟୁରୀ ଧରି ଥିବାରୁ ତା’ ପାଖ ପଶିବାକୁ କେହି ଗ୍ରାମବାସୀ ସାହସ କରିନଥିଲେ । ଖବର ପାଇ ଟାଙ୍ଗୀ ଥାନା ପୁଲିସ ପହଞ୍ôଚବା ପୂର୍ବରୁ ସୁରେଶ ସେଠାରୁ ଫେରାର ହୋଇଯାଇଥିଲା । ତେବେ ଏନେଇ ଟାଙ୍ଗୀ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି । ପୁଲିସ ବିଭିନ୍ନ ସ୍ଥାନରେ ସୁରେଶକୁ ଖୋଜୁଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ତା’ର ସନ୍ଧାନ ମିଳିନାହିଁ । ତେବେ ସୁରେଶ ଏଭଳି କାଣ୍ଡ କାହିଁକି ଘଟାଇଲା ତାହା ସ୍ପଷ୍ଟ ହୋଇନଥିବାବେଳେ ଧରାହେଲେ ପ୍ରକୃତ ତଥ୍ୟ ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।