ନିର୍ବାଚନକୁ ନେଇ ସର୍ବ ଦଳୀୟ ବୈଠକ: ମଦମୁକ୍ତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ୨ଗୁଣ ବୃଦ୍ଧି ପାଇଁ ପ୍ରସ୍ତାବ
ଭୁବନେଶ୍ୱର(ଏନ୍.ଏମ୍.): ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ପ୍ରସ୍ତାବ ଉପସ୍ଥାପନ ହୋଇଛି । ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା । ବୈଠକରେ ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ସର୍ବଦଳୀୟ ବୈଠକ ପରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ରାଜ୍ୟ ନିର୍ବାଚନ କମିଶନ୍ ଆଦିତ୍ୟ ପ୍ରସାଦ ପାଢି ଆଲୋଚନା କରିଛନ୍ତି । ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବୃଦ୍ଧି କରିବା ସହ ଭୋଟିଂ ସମୟକୁ ମଧ୍ୟ ବୃଦ୍ଧି କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି । ସର୍ବଦଳୀୟ ବୈଠକରେ ଭୋଟଦାନ ଅବଧି ଆଉ ୨ଘଣ୍ଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥି ସହିତ ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ଥିବା ୮୦ ହଜାର ଟଙ୍କାକୁ ୨ଗୁଣ ବା ୨ଲକ୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନର ଅବଧି, ଗ୍ରାମ ପଞ୍ଚାୟତର ପୁନଃଗଠନ, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟ ଗ୍ରହଣ ସମୟ ଅବଧି, ନିର୍ବାଚନ ଖର୍ଚ୍ଚ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପୂର୍ବରୁ ବହୁବାର ନକଲି ଭୋଟ୍ ପରିଚୟ ପତ୍ରକୁ ନେଇ ଅଭିଯୋଗ ଆସିଥିଲା । ଏହାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର କ୍ରମିକ ନମ୍ବର ବ୍ୟବସ୍ଥା ଏଥର ରହିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସର୍ବଦଳୀୟ ବୈଠକରେ ନିର୍ବାଚନୀ ଖର୍ଚ୍ଚ, ଯାନବାହାନ ବ୍ୟବହାର ବାବଦରେ ପ୍ରସ୍ତାବ ଆସିଛି । ସେଣ୍ଟ୍ରାଲ କାଉଣ୍ଟିଂ ହେବାକୁ ଥିବାରୁ ପୁଲିଂ ଅବଧି ବଢ଼ାଇବା ପ୍ରସ୍ତାବ ଆସିଛି । ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଛି । ତେବେ ଆସିଥିବା ପ୍ରସ୍ତାବକୁ ସମୀକ୍ଷା କରାଯାଇ ସୂଚନା ଦିଆଯିବା ସହ ନିର୍ବାଚନ ଖର୍ଚ୍ଚ ବଢ଼ାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଶ୍ରୀ ପାଢି ସୂଚନା ଦେଇ କହିଛନ୍ତି ।