ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ
ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରେଳବାଇ ଜମିରେ ପାଚେରୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଏବେ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ରେଳବାଇ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାବେଳେ ଏବେ ବସ୍ତିବାସିନ୍ଦା କେଉଁଠି ରହିବେ ସେ ନେଇ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ, ଜଗତପୁର ନିମପୁର ଠାରେ ରେଳବାଇର ପ୍ରାୟ ୨୯ଏକର ଜମି ରହିଛି । ସେହି ଜମିରେ ଦୀର୍ଘ ୩୦ରୁ ଉର୍ଦ୍ଧ ବର୍ଷ ଧରି ଏକାଧିକ ସାହି, ବସ୍ତି ଗଢି ଉଠିଛି । ଯାହାକୁ ନିମପୁର ବସ୍ତିଭାବେ ନାମକରଣ କରାଯାଇଛି । ମାତ୍ର ରେଳବାଇ ବିଭାଗ ଏବେ ନିଜସ୍ୱ ଜମିକୁ ଅଧିଗ୍ରହଣ କରି ସେଠାରେ ପାଇଲଟ ପ୍ରୋଜେକ୍ଟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି । ଏଥିପାଇଁ ରେଳବାଇ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାଚେରୀ ନିର୍ମାଣ କାର୍ଯ୍ୟ କିଛିମାସ ପୂର୍ବରୁ ଆରମ୍ଭ କରାଯାଇଥିବାବେଳେ ତାହା ଏବେ ଶେଷ ହେବାକୁ ବସିଲାଣି । ଏହି ପ୍ରାଚେରୀ ନିର୍ମାଣ ଯୋଗୁଁ ବସ୍ତିର ଅନେକ ଦୋକାନ ଗୁଡିକୁ ଉଚ୍ଛେଦ କରାଯିବା ସହ ବସ୍ତିର ବିଭିନ୍ନ ସଂଯୋଗ ରାସ୍ତା ବନ୍ଦ ହୋଇପଡିଛି । ରେଳବାଇ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି ହୋଇଥିଲା । ତେବେ ସେ ସମୟରେ ଚୌଦ୍ୱାର-କଟକ ବିଧାୟକଙ୍କ ବାସଭବନକୁ ଶତାଧିକ ବସ୍ତି ଲୋକେ ଘେରାଉ କରିବା ସହ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ଦାବି କରିଥିଲେ । ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି କିଛିଦିନ ପରେ ବିଧାୟକଙ୍କ ପକ୍ଷରୁ ଖୋର୍ଦ୍ଧା ଡିଆରଏମଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟକୁ ଥଇଥାନ ନିମନ୍ତେ ଚିଠି ପଠାଯାଇଥିଲା । ମାତ୍ର ରେଳବାଇ ବିଭାଗ ପକ୍ଷରୁ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରାଯାଏ ନାହିଁ, ବରଂ ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରିପାରନ୍ତି ବୋଲି ଚିଠିର ପ୍ରତ୍ୟୁତ୍ତରରେ ଉଲ୍ଲେଖ କରାଯାଇଥିଲା । ସେବେଠାରୁ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡିଲେଣି । ସିଏମସି ନିର୍ବାଚନ ଶେଷ ହେବା ପରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ ବୋଲି ବସ୍ତି ଲୋକେ ଆଶା ରଖିଥିଲେ । କିନ୍ତୁ ଦିନ ପରେ ଦିନ ବିତି ଚାଲିଥିଲେ ବି ସେମାନଙ୍କ ସମାଧାନ ପାଇଁ କୌଣସି ରାସ୍ତା ଫିଟୁ ନାହିଁ । ରାଜ୍ୟ ସରକାର ସହରାଞ୍ଚଳ ବସ୍ତିବାସିନ୍ଦାମାନଙ୍କୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ବସ୍ତିର ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ପରିବାରଙ୍କ ପାଇଁ ପ୍ରଶାସନିକସ୍ତରରେ ଥଇଥାନ ବ୍ୟବସ୍ଥା ନହେବାରୁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଚି । ଏପରିକି ପ୍ରତିଶ୍ରୁତି ମୁତାବକ ଜମି ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ତ୍ୱରାନିତ କରାଯାଉନଥିବା ଯୋଗୁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତେବେ ଏ ନେଇ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ତ୍ୱରିତ ପଦକ୍ଷେପ ନେବା ସହ ବସ୍ତିବାସିନ୍ଦାଙ୍କୁ ଥଇଥାନ କରି ସେମାନଙ୍କ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ (ଏକତା) ସଭାପତି ତଥା ବସ୍ତିନେତା ବୃନ୍ଦାବନ ଦାସ ଆଜାଦ ଦାବି କରିଛନ୍ତି ।