ନରସିଂପୁର ବ୍ଲକରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ବିଧାୟକଙ୍କ ସମୀକ୍ଷା
ନରସିଂପୁର(ଏନ୍.ଏମ୍.): ଗଲା ତିନି ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବାଲିଝରି ଠାରୁ ବାଲିପୁଟ ପର୍ଯ୍ୟନ୍ତ ସମଗ୍ର ବ୍ଲକରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଏହାର ତୁରନ୍ତ ନିରାକରଣ ନିମନ୍ତେ ବିଧାୟକ ଏକ ସମୀକ୍ଷା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ଲଗାଣ ବର୍ଷା ଜାରି ରହିବାର ୩ଦିନ ପରେ ମଧ୍ୟ ଲୋକ ମାନଙ୍କର ସମସ୍ୟା ଏବଂ ଦୁଃଖ ସୁଧୁରିବାର ନାଁ ଧରୁନି । ବୈଠକରେ ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ବେହେରା ମୁଖ୍ୟ ଲିପିକ ମନୋଜ ଦାସ ଯୋଗ ଦେଇଥିଲେ । ୩ଦିନର ଲଗାଣ ବର୍ଷାରେ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବ୍ଲକର ଆଇଁଷିଆ ଦଳକ, ମାଟିଗଡ଼ିଆ, ଡ଼ମକଟା ହରିଜନ ସାହି, ଉଲ୍ଲାସ କୋଟ, କାଠ ଖୁଣ୍ଟ, ବାଲିସାହି, ଗୁରୁଜାଙ୍ଗ, ଓସ୍ତାପଡା ଇତ୍ୟାଦି ଗ୍ରାମରେ ଲୋକମାନେ ପାଣି ଘେରରେ ରହିଯାଇଥିଲେ । ପାନୀୟ ଜଳର ଘୋର ସମସ୍ୟା ଦେଖାଯାଇଥିଲା । ତେଣୁ ବିଧାୟକ ପ୍ରଭାବିତ ଗୁଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଆବଶ୍ୟକ ସ୍ଥଳରେ ବିଭାଗୀୟ ଅଧିକାରୀମାନଙ୍କୁ ଏହାର ସମାଧାନ ପାଇଁ ପରାମର୍ଶ ଏବଂ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସମୀକ୍ଷା ବୈଠକରେ ବ୍ଲକର ସମୁଦାୟ ୪୧୪ଟି ବଖରା ଘର ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାଙ୍ଗି ଯାଇଥିବା ରାଜସ୍ୱ ନିରୀକ୍ଷକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତଦନ୍ତ ରୁ ଜଣା ପଡ଼ିଛି । ଧାନ ଚାଷ ମଧ୍ୟ ପ୍ରଭାବିତ ହୋଇଛି । ଅଞ୍ଚଳର ୮ହଜାର ହେକ୍ଟର ଚାଷ ଜମି ବର୍ତ୍ତମାନ ପାଣି ମାଡ଼ି ରହିଛି ଯାହାକି କିଛି ଧାନ ଥୋଡ଼ ଧରିଥିବାବେଳେ ଆଗକୁ ଏହା ପଚି ନଷ୍ଟ ହେବାର ସମ୍ଭାବନା ଅଛି ବୋଲି ବ୍ଲକ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଉଦ୍ୟାନ ବିଭାଗରେ ପ୍ରାୟ ୧୫ଶହ ଏକର ପନିପରିବା ଚାଷ ଜମିରେ ପାଣି ମାଡିଯିବା ଫଳରେ ପରିବା ଫସଲ ଉଜୁଡ ଯାଇଥିବା ଜଣାପଡ଼ିଛି । ମିଟିକାପୁର ନାଳ, କତରା ନାଳ, ସୁହାଗି ନାଳ, ହଳଦୀ ନାଳ, ଧନିଆ ନାଳ ଇତ୍ୟାଦି ସ୍ଥାନରେ ୧୦ଟି ବଡ ବଡ ଘାଇ ହେବା ଫଳରେ ଧାନ ଜମି ଗୁଡିକରେ ବାଲିଚର ହୋଇଯାଇଛି । ଏଭଳି ଅବସ୍ଥାରେ ପ୍ରାୟ ୯୧ଟି ପରିବାର ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇ ପଡ଼ିଥିବାବେଳେ ସେମାନଙ୍କ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ କରାଯାଇ ଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଲଗାଣ ବର୍ଷାରେ ଗ୍ରାମାଞ୍ଚଳରେ ପ୍ରାୟ ୮୦ କିଲୋମିଟର ରାସ୍ତା ପାଞ୍ଚୋଟି କଲବର୍ଟ ପାଞ୍ଚୋଟି ସ୍କୁଲ ଘର ତିନୋଟି ସ୍କୁଲ ପାଚେରୀ ନଷ୍ଟ ହୋଇଥିବାର ତଦନ୍ତରୁ ଜଣାପଡିଛି । ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭାଗରେ ୧୨ କିଲୋମିଟର ରାସ୍ତା ନଷ୍ଟ ହୋଇଥିବାର ଜଣାପଡିଛି । ପ୍ରଧାନ ମନ୍ତ୍ରୀ ସଡକ ରାସ୍ତା ପ୍ରାୟ ୧୬ କିଲୋମିଟର ନଷ୍ଟ ହୋଇଥିବାବେଳେ ଆସନ୍ତା ୧୭ର ତାରିଖରେ ହେବାକୁ ଥିବା ଲଘୁଚାପ ବର୍ଷାରେ ସତର୍କ ରହିବାକୁ ବିଧାୟକ ନିର୍ଦେଶ ଦେଇଥିଲେ । ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।