ନଭେମ୍ବର ୨୨ରୁ ୯ମ ଏସଏ ପରୀକ୍ଷା : ୨୩ରୁ ଖାତା ଦେଖା
କଟକ(ଏନ୍.ଏମ୍.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୯ମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ(ଏସଏ)-୧ ପରୀକ୍ଷା ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ବୋର୍ଡ଼ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ଯେ, ପରୀକ୍ଷା ୨ଟି ସିଟିଂରେ କରାଯିବ । ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ଣ ୧୦ଟା ମଧ୍ୟରେ ପରୀକ୍ଷା ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ସେହିଭଳି ୨୨ ତାରିଖରେ ପ୍ରଥମ ସିଟିଂରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ । ଉକ୍ତ ଦିନ ଦ୍ୱିତୀୟ ସିଟିଂରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ । ସେହିପରି ୨୩ରେ ପ୍ରଥମ ସିଟିଂରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ । ୨୪ରେ ପ୍ରଥମ ସିଟିଂରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂରେ ବିଜ୍ଞାନ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସେହିଭଳି ପରୀକ୍ଷାରେ ରହିଥିବା ନମ୍ବର ବିଷୟରେ ମଧ୍ୟ ସ୍ପଷ୍ଟ ସୂଚନା ଦିଆଯାଇଛି । ପ୍ରତି ପରୀକ୍ଷା ୪୦ ମାର୍କ କରାଯିବ । ଛାତ୍ରଛାତ୍ରୀମାନେ ୨୦ମାର୍କ ମଲ୍ଟିପୁଲ ଚଏସ ୧ ନମ୍ବରିଆ କରିବାକୁ ଥିବା ବେଳେ ୨୦ ମାର୍କ ଦୀର୍ଘ ଉତ୍ତର ମୂଳକ ଉତ୍ତର ଲେଖିବେ । ବୋର୍ଡ ପକ୍ଷରୁ ସମସ୍ତ ପ୍ରଶ୍ନପତ୍ର ଦିଆଯିବକୁ ନିଷ୍ପତ୍ତି ହୋଇଥିବା ବେଳେ ପରୀକ୍ଷା ଗୁଡିକ ନିଜ ନଜି ସ୍କୁଲରେ କରାଯିବ । ତେବେ ପରୀକ୍ଷା ଚାଲୁଥିବା ବେଳେ ଖାତା ଦେଖା ଅନ୍ୟ ସ୍କୁଲରେ କରାଯିବ । ନଭେମ୍ବର ୨୩ରୁ ଖାତା ଦେଖା ଆରମ୍ଭ ହୋଇ ୩୦ ମଧ୍ୟରେ ଶେଷ ହେବ । ପରୀକ୍ଷା ଖାତା ନିକଟସ୍ଥ ସ୍କୁଲ ବା ନ୍ୟୁଟ୍ରାଲ ସ୍କୁଲରେ କରାଯିବ । ତେବେ ଏହାର ଗାଇଡ ଲାଇନ ବୋର୍ଡ ପକ୍ଷରୁ ଜାରି କରାଯାଇଛି । ଏହାପରେ ଉତ୍ତରଖାତା ଗୁଡିକ ପରୀକ୍ଷା କରିଥିବା ନିଜ ନିଜ ସ୍କୁଲକୁ ଫେରାଇ ଦିଆଯିବ । ଉତ୍ତର ଖାତାରେ କୌଣସି ତ୍ରୁଟି ରହିଥିଲେ ସେମାନେ ଡିସେମ୍ବର ୧ ଓ ୨ ତାରିଖରେ ପୁନଃ ଯାଞ୍ଚ କରିବା ଲାଗି ଆବେଦନ କରି ପୁଣି ଥରେ ନ୍ୟୁଟ୍ରାଲ ସ୍କୁଲକୁ ଖାତା ପଠାଇବେ । ନ୍ୟୁଟ୍ରାଲ ସ୍କୁଲ ଉତ୍ତରଖାତା ନମ୍ବର ଚୂଡାନ୍ତ କରି ମେଣ୍ଟର ସ୍କୁଲ ଓ ନିଜ ନିଜ ସ୍କୁଲକୁ ପଠାଇବେ । ଡିସେମ୍ବର ୪ ତାରିଖ ସୁଦ୍ଧା ଫର୍ମୋଟିଭ ଆସେସମେଣ୍ଟ (ଏଫଏ)-୧ ମାର୍କ, ଏଫଏ-୨ ମାର୍କ ଓ ଏସଏ ମାର୍କ ଗୁଡିକ ଟାବୁଲେସନ କରିବେ । ନୋଡାଲ ସେଣ୍ଟର ସମସ୍ତ ଟାବୁଲେସନ ଗୁଡିକ ଡିସେମ୍ବର ୬ରୁ ୧୩ ତାରିଖରେ ମଧ୍ୟରେ ବୋର୍ଡ ପୋର୍ଟାଲରେ ଅପଲୋଡ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ତ୍ତତ୍ୱାବଧନାରେ ସମସ୍ତ ପରୀକ୍ଷା କରାଯିବ । ଅନ୍ୟପକ୍ଷରେ ଭେକେସନାଲ ଟ୍ରେଡର ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ବିଦ୍ୟାଳୟରେ ନଭେମ୍ବର ୧୨ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ପରୀକ୍ଷା ସମ୍ପର୍କିତ ସମସ୍ତ ଗାଇଡଲାଇନ ବୋର୍ଡ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଡିଇଓଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା, ଉପ ସଭାପତି ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ ।