ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ
କେନ୍ଦୁଝର(ଏନ୍.ଏମ୍.): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଯାଇଛନ୍ତି । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଅଘଟଣ ଘଟିଛି । ସିଆରପିଏଫର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ । ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଛାତିରେ ଗୁଳି ବାଜିଥିଲା । ଫଳରେ ସେ ସହିଦ ହୋଇଯାଇଛନ୍ତି । ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କ ନାଁ ମୁନ୍ନା ଲାଲ ଯାଦବ । ତାଙ୍କ ଗୋଡ଼ରେ ଗୁଳି ବାଜିଛି । ତାଙ୍କ ଘର ଉତ୍ତର ପ୍ରଦେଶରେ । ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ନକ୍ସଲ ହମଲାରେ ସହିଦ ସୁଶାନ୍ତଙ୍କ ପରିବାରର କଥା କହିଲେ ଯେ କେହି ଭାଙ୍ଗି ପଡ଼ିବ । ସାଢ଼େ ୩ ବର୍ଷ ମଧ୍ୟରେ ବାପପୁଅ ୪ ଜଣ ଆଗପଛ ହୋଇ ଚାଲିଗଲେ । ସୁଶାନ୍ତଙ୍କ ଆନନ୍ଦପୁର ଘରେ ଏବେ କେହି ନାହାନ୍ତି । ଘରେ ପଡ଼ିଛି ତାଲା । ୨୦୨୦ ମସିହା ଫେବୃୟାରୀ ୭ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ପରଲୋକ ହୋଇଥିଲା । ୨୦୨୨ରେ କ୍ୟାନସରରେ ପ୍ରାଣ ହରାଇଥିଲେ ସୁଶାନ୍ତଙ୍କ ମଝିଆଁ ଭାଇ । ଚଳିତବର୍ଷ ଜାନୁଆରୀ ମାସରେ ପ୍ରାଣ ହରାଇଥିଲେ ତାଙ୍କ ବଡ଼ଭାଇ । ତାଙ୍କ ବଡ଼ଭାଇ ଜାମସେଦପୁରରେ ଚାକିରି କରୁଥିଲେ । ଏବେ ସୁଶାନ୍ତଙ୍କ ପରିବାର ଲୋକ କହିଲେ ତାଙ୍କ ମା’, ପତ୍ନୀ, ବଡ଼ ଭାଉଜ ଓ ବଡ଼ଭାଇଙ୍କ ପୁଅ । ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନ ମା’ଙ୍କ ପାଖରେ ଅଛନ୍ତି ସୁଶାନ୍ତଙ୍କର ଜଣେ ଭଉଣୀ । ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିବା ସୁଶାନ୍ତ ଗତ ଜୁନ୍ ୨ ତାରିଖରେ ବିବାହ କରିଥିଲେ । ଏଏନ୍ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରୁହନ୍ତି । ତେବେ ଆଜି ସୁଶାନ୍ତଙ୍କ ସହିଦ ଖବର ଶୁଣି ସମ୍ପୂର୍ଣ୍ଣ ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ୨ମାସ ତଳେ ବିବାହ କରିଥିବା ସୁଶାନ୍ତ ସହିଦ ହେବା ପରେ ତାଙ୍କ ପରିବାର କଥା ଭାବିବାବେଳକୁ ଧର୍ଯ୍ୟଚ୍ୟୁତି ହେଉଛି । ତାଙ୍କ ପାର୍ଥୀବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକେ ତାଙ୍କ ଶେଷଦର୍ଶନ କରିବା ସହ ଶବ ଶୋଭାଯାତ୍ରାରେ ଯାଇଥିଲେ ।