ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ସହର ତଥା ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତିର ଭୂସ୍ୱର୍ଗ ପାଲଟିଛି । ବିଭିନ୍ନ ସମୟରେ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ତିଆରି ହେଉଥିବା ଧରାପଡ଼ିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକିବାରେ ପ୍ରଶାସନ ଫେଲ ମାରିଛି । ଏଠାରେ ନକଲି ତେଲ,ଘିଅ, ମସଲା,ସସ୍ ଓ ଜର୍ଦ୍ଦା କରାଖାନା କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଠାବ ହେବା ପରେ ଆଜି ଏକ ନକଲି ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି କମିଶନ୍‌ରେଟ୍ ପୁଲିସ । ଏଥି ସହିତ ଟାଙ୍ଗୀ, ମାହାଙ୍ଗା ଓ କଟକସଦର ଥାନା ଅଞ୍ଚଳରେ ଥିବା ନକଲି ଡିଟରଜେଣ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର, ନାମିଦାମୀ କମ୍ପାନୀର ଷ୍ଟିକର ଓ ପ୍ୟାକିଂ ମେସିନ୍ ଆଦି ମାଲଗୋଦାମ ପୁଲିସ୍ ପକ୍ଷରୁ ଜବତ କରାଯାଇଛି । ଏହି କାରବାରରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟବସାୟୀ ଜଣକ ହେଉଛନ୍ତି ବାପି ଓରଫ ଅଭିଜିତ ବେହେରା (୪୭) ବୋଲି ଜଣାପଡ଼ିଛି । ତାଙ୍କ ଘର ଜଗତପୁର ନାରାୟଣ ବିହାର ବୋଲି ପୁଲିସ ପକ୍ଷରୁ କୁହାଯାଉଛି । ଏହି କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ବାବଦରେ ପୁଲିସ ଛାନଭିନ୍ ଚଳାଇଛି । ନକଲି ଡିଟରଜେଣ୍ଟ ପାଉଡର କାରଖାନା ଚାଲିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିବା ପରେ ମାଲଗୋଦାମ ଅଞ୍ଚଳରେ ତନାଘନା ଆରମ୍ଭ ହୋଇଥିଲା । ତେବେ ୧୭ ତାରିଖ ଦିନ ସନ୍ଧ୍ୟାରେ ମାଲଗୋଦାମ ଥାନା ଅଞ୍ଚଳର ଏକ ଅଟୋରିକ୍ସାରେ ବିପୁଳ ପରିମାଣର ସର୍ଫ ଏକ୍ସଲ ଡିଟରଜେଣ୍ଟ ପାଉଡର ରାପର ଜବତ କରିଥିଲା । ଏସବୁ ନକଲି ସାମଗ୍ରୀକୁ ବାପି ଟାଙ୍ଗୀ ଥାନା ଅନ୍ତର୍ଗତ ବ୍ରାହ୍ମଣପଡ଼ା ଗାଁକୁ ନେଉଥିଲା । ତାକୁ ପଚରାଉଚରା କରିବା ପରେ ଟାଙ୍ଗୀ ବ୍ରାହ୍ମଣପଡ଼ା ଗାଁରେ ଡିଟରଜେଣ୍ଟ ଫ୍ୟାକ୍ଟ୍ରି ରହିଥିବା ପୁଲିସ ଜାଣିପାରିଥିଲା । ଏଥି ସହିତ ବାପି ଠାରୁ ତାର ସହଯୋଗୀ ବାଦଲ ସିଂହ ଓ ପ୍ରିୟବ୍ରତ ଜେନା ଏହି କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏମାନେ ମାହାଙ୍ଗା ଥାନା ଉମର ଠାରେ ଏବଂ କଟକ ସଦର ଥାନା ଖଣ୍ଡେଇତାରେ ନିମ୍ନମାନର ଡିଟରଜେଣ୍ଟ ପାଉଡର ଦ୍ୱାରା ସର୍ଫ ଏକ୍ସଲ ତିଆରି କରି ବଜାରରେ ବିକ୍ରି କରୁଥିଲେ । ପୁଲିସ ଉମର ଏବଂ ଖଣ୍ଡେଇତାରେ ଚଢଉ କରି ୧୮୦୦ କିଲୋ ପାକିଂ ହୋଇଥିବା ଡିଟରଜେଣ୍ଟ ପାଉଡର ଏବଂ ୧୫୪୦ କିଲୋ ସର୍ଫ ଏକ୍ସଲ ଜବତ କରିଛି । ଏଥିସହ କଞ୍ଚାମାଲ, ବିଭିନ୍ନ ପ୍ରକାର କେମିକାଲ୍ସ, ମିକ୍ସଚର ମେସିନ୍‌, ଡ୍ରାୟର ମେସିନ୍‌, ଷ୍ଟିଚିଂ ମେସିନ୍ ସହିତ, ଓଜନ ମେସିନ୍ ସହିତ ସର୍ଫ ଏକ୍ସଲ ରାପର ଜବତ କରିଛି । ବାପି ତାର ଦୁଇ ଜଣ ସହଯୋଗୀଙ୍କ ବାଦଲ ଓ ପ୍ରିୟ ସହିତ ଏହି କାରାଖାନା ଚଲାଉଥିଲା । ସେମାନେ ୧୦ଟଙ୍କିଆ ପ୍ୟାକେଟ୍ କରି ଏହି ଡିଟରଜେଣ୍ଟକୁ ବିକ୍ରି କରୁଥିଲେ । ନିମ୍ନମାନର ଜିନିଷକୁ ଦାମୀ କମ୍ପାନୀ ନାମରେ ବିକ୍ରି କରି ଏହି ରାକେଟ ବେଶ୍ ଲାଭବାନ ହେଉଥିଲା । ପୁଲିସ ଆଜି ବାପିକୁ ଗିରଫ କରି କୋର୍ଟ ଚାଳଣ କରିଛି । ଅନ୍ୟ ଦୁଇଜଣ ସହଯୋଗୀ ଏହି କାରବାରରେ ସଂପୃକ୍ତିକୁ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି । ସେହିଭଳି ଗତ ଫେବୃଆରୀ୨୦ ତାରିଖରେ ୪୨ମୌଜା ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରାଯାଇଥିଲା । ବେଶ୍ କିଛି ଦିନ ଧରି ନକଲି ସସ୍‌, ନକଲି ମସଲା, ନକଲି ଜର୍ଦ୍ଦା, ନକଲି ଘିଅ ନକଲି ସିମେଣ୍ଟ କାରଖାନା ଆଦି କଟକରୁ ଠାବ ହେବାରେ ଲାଗିଛି । ବାରମ୍ବାର ପ୍ରଶାସନ ଚଢାଉ କରୁଥିଲେ ଏହି କାରବାର ଥମୁନଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକଶ ପାଇଛି । ଯାହାଫଳରେ ଗ୍ରାହକମାନେ ଠକାମୀର ଶିକାର ହେଉଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ