ଧାବିକା ଦୂତିଙ୍କ ଅଭିଯୋଗ କ୍ରମେ ୱେବ୍ ଚ୍ୟାନେଲ୍ ସମ୍ପାଦକଙ୍କୁ ଉଠାଇ ନେଲା ପୁଲିସ୍
ଭୁବନେଶ୍ୱର (ଏନ୍.ଏମ୍.): ଅଲିମ୍ପିଆନ ଦୂତୀଚାନ୍ଦଙ୍କ ଅଭିଯୋଗ କ୍ରମେ ଏକ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ପୁଲିସ ଉଠାଇ ନେଇଛି । ଭୁବନେଶ୍ୱର ମହିଳା ଥାନା ପୁଲିସ୍ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସରୁ ଉଠାଇ ନେଇଥିବା ଜଣାପଡ଼ିଛି । ଦୂତୀ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ସୁଧାଂଶୁଙ୍କ ୱେବ୍ ଚ୍ୟାନେଲ୍ ସଦାବେଳେ ଅପମାନଜନକ ଖବର ପ୍ରସାରଣ କରାଯାଉଛି । ଯାହା ଫଳରେ ତାଙ୍କ ମାନ ସମ୍ମାନ ସବୁକିଛି ମାଟିରେ ମିଶିବାକୁ ଲାଗିଛି । ଅନ୍ୟପକ୍ଷରେ ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ସୁଧାଂଶୁଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଛି ।
ଦୂତୀ ଅଭିଯୋଗ କରିଛନ୍ତି ଯେ, ଯେଉଁ ପରିଶ୍ରମ କରି ସେ ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି । ସୁଧାଂଶୁ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଟୋକିଓରେ ଖେଳ ଉପରେ ଫୋକ୍ସ କରୁଥିବା ବେଳେ ସୁଧାଂଶୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ବ୍ଲାକମେଲିଂ କରୁଥିଲେ । ସୁଧାଂଶୁଙ୍କ ସହିତ ସେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି । ଉଭୟ ସୁଧାଂଶୁ ଓ ପ୍ରଦୀପଙ୍କ ବିରୋଧରେ ସେ କୋର୍ଟରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି । ତେବେ ସୁଧାଂଶୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ, ଦୂତୀ ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ । ତାକୁ ନେଇ ଖବର ପ୍ରସାରଣ କରାଯାଇଥିଲା । ଏକ ଦାୟିତ୍ୱବାନ ୱେବ୍ ଚ୍ୟାନେଲ୍ ହିସାବରେ ଆମେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ । କିନ୍ତୁ ପ୍ରତିକ୍ରିୟା ବଦଳରେ ସେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଂଘାତିକ ଅଭିଯୋଗ ଆଣିଲେ । ସେହିପରି ପ୍ରଦୀପ ପ୍ରଧାନ କହିଥିଲେ ଯେ ସେ ଦୂତୀଙ୍କ ବିରୋଧରେ ସେମିତି କିଛି ମାନହାନି ସୂଚନକ ମନ୍ତବ୍ୟ ଦେଇ ନାହାନ୍ତି । କେବଳ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିବାରୁ ସୋଶାଲ୍ ମିଡିଆ ଆଲୋଚନା କରିଥିଲେ । ଏନେଇ ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ ।