ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର


କଟକ(ଏନ୍‌.ଏମ୍‌.): କଟକ ସହରରେ ଘନଘନ ବାଇକ ଚୋରି ହେଉଥିବାବେଳେ ଏହି ଲୁଟେରାମାନଙ୍କୁ ଧରିବାରେ ମଧୁପାଟଣା ପୁଲିସକୁ ସଫଳତା ମିଳିଛି । ଏହି ଅଞ୍ଚଳରେ ସିରିଜ ବାଇକ ଚୋରି ଘଟଣାରେ ଦୁଇ ନାବାଳକଙ୍କୁ ପୁଲିସ ଧରିଥିବାବେଳେ ଏମାନଙ୍କ ଠାରୁ ନିୟମିତ ଭାବେ ଚୋରା ଗାଡି କିଣୁଥିବା ଅଭିଯୁକ୍ତ କଟକ ଜିଲ୍ଲା ଆଠଗଡ ଖୁଣ୍ଟକଟା ଅଞ୍ଚଳର ରିଙ୍କୁ ଓରଫ କୃଷ୍ଣ କୁମାର ନାୟକ(୨୧)କୁ ଗିରଫ କରିଛି । ଏମାନଙ୍କ ଠାରୁ ମୋଟ ୮ଟି ଚୋରି ବାଇକ ଓ ସ୍କୁଟି ଉଦ୍ଧାର ହୋଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ମାସରେ ନୂଆପଡା ଅଞ୍ଚଳର ମନୋଜ ଗୁପ୍ତାଙ୍କ ସ୍କୁଟି ତାଙ୍କ ଘର ପାଖରୁ ଚୋରି ହୋଇଯାଇଥିଲା । ଏନେଇ ମଧୁପାଟଣା ଥାନାରେ ଅଭିଯୋଗ ହେବା ପରେ ଆଇପିସିର ୩୭୯ ଦଫାରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହା ପୂର୍ବରୁ ବାଇକ ଚୋରି ନେଇ ମଧୁପାଟଣା ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । କିନ୍ତୁ କୌଣସି ଗୋଟିଏ ମାମଲାରେ ପୁଲିସକୁ ସଫଳତା ମିଳିନଥିଲା । ଏହା ମଧ୍ୟରେ ପୁଲିସ ତଦନ୍ତ କରି ଏହି ସମସ୍ତ ଘଟଣାରେ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀର ହାତ ଥିବା ଜାଣିବାକୁ ପାଇଥିଲା । ନିକଟରେ ପୁଲିସ ସ୍ଥାନୀୟ ଅଞ୍ଚଳର ଦୁଇ ନାବାଳକଙ୍କୁ ଗୋଟିଏ ଚୋରା ସ୍କୁଟି ସହ ଧରିଥିଲା । ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଦୁହେଁ ସବୁ କଥା ମାନି ଯାଇଥିଲେ । ନାବାଳକ ଦ୍ୱୟ ଗଲା କିଛି ମାସ ହେବ ମଧୁପାଟଣା ଓ ଆଖପାଖ ଅଞ୍ଚଳରୁ ଦୁଇ ଚକିଆ ଗାଡି ଚୋରାଉଥିଲେ । ପ୍ରଥମେ ସେମାନେ ଗୋଟିଏ ବାଇକ ଚୋରାଇ କୃଷ୍ଣକୁ ବିକ୍ରି କରିଥିଲେ । ବଦଳରେ କୃଷ୍ଣ ତାଙ୍କୁ ୨ ହଜାର ଟଙ୍କା ଦେବା ସହ ଏହି କାମ ଲାଗି ପ୍ରବର୍ତ୍ତାଇଥିଲା । କୃଷ୍ଣ ପୂର୍ବରୁ ଖାନନଗରରେ ରହି ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲା । ତେଣୁ କୃଷ୍ଣ କଥାରେ ପଡି ନାବାଳକ ଦ୍ୱୟ ପେସାଦାର ଭାବେ ଗାଡି ଚୋରାଇବା କାମ ଆରମ୍ଭ କରିଦେଲେ । ଏହି ବିଷୟ ଜାଣିବା ପରେ ପୁଲିସ କୃଷ୍ଣର ଖୁଣ୍ଟକଟା ସ୍ଥିତ ଘରେ ଚଢଉ କରି ୭ଟି ଚୋରା ଦୁଇ ଚକିଆ ଗାଡି ଉଦ୍ଧାର କରିଛି । ଏହି ସମସ୍ତ ଗାଡି ମଧୁପାଟଣା, ବାଦାମବାଡି ଓ ସଦର ଥାନା ଅଞ୍ଚଳରୁ ନାବାଳକ ଦ୍ୱୟ ଚୋରି କରିଥିଲେ । କୃଷ୍ଣ ଉକ୍ତ ଚୋରା ଗାଡି ଗୁଡିକୁ ୨ରୁ ୩ ହଜାର ଟଙ୍କାରେ କିଣି, ତାହାକୁ ୮ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା । ମଙ୍ଗଳବାର ଅଭିଯୁକ୍ତ କୃଷ୍ଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ବେଳେ ୨ ନାବାଳକଙ୍କୁ ଜୁଭେନାଇଲ ବୋର୍ଡକୁ ପଠାଇ ଦିଆଯାଇଛି । ଏହାପରେ ମଧୁପାଟଣା ପୁଲିସ ଉକ୍ତ ଚୋରା ଗାଡି ଗୁଡିକର ମାଲିକଙ୍କୁ ଗାଡି ହସ୍ତାନ୍ତର କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ