ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ

ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ

ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ

News by Smrutiranjan Tripathy (Cuttack)

#ଆଠଗଡ଼/କଟକ(ଏନ୍‍.ଏମ୍‍.): ସମ୍ପ୍ରତି ସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କେବଳ କାଗଜ କଲମରେ ରାଜ୍ୟ ସରକାର ବିକାଶର ନୀଳଛବି ଦେଖାଇ ଲୋକଙ୍କୁ ଭକୁଆ ବନାଉଛନ୍ତି ବୋଲି ଆଜି ହିନ୍ଦୁସେନା ପକ୍ଷରୁ ଅଭିଯୋଗ ହୋଇଛି । ସରକାରୀ ଦାୟିତ୍ୱହୀନତା ଯୋଗୁଁ ରାଜ୍ୟର ସୁପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଥିବା ଏକମାତ୍ର ରାସ୍ତା ଝୁଲାପୋଲକୁ ଦୀର୍ଘ ଦିନ ଧରି ମରାମତି କରାନଯିବା ତଥା ଏ ବାବଦରେ ଆସୁଥିବା ଅର୍ଥ ବାଟମାରଣା ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ହିନ୍ଦୁସେନା ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ସରକାର ରାଜ୍ୟର ବିଭିନ୍ନ ମଠ ମନ୍ଦିର ତଥା ଧର୍ମାନୁଷ୍ଠାନର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଧବଳେଶ୍ୱର ଝୁଲାପୋଲର ମରାମତି କ୍ଷେତ୍ରରେ କାଳକ୍ଷେପଣ ନୀତିକୁ ନିନ୍ଦା କରାଯାଇଛି । ଅନ୍ୟପକ୍ଷରେ ଏହି ପୀଠକୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଦୈନିକ ଶତାଧିକ ଶ୍ରଦ୍ଧାଳୁ ଆସି ନିରାଶ ହୋଇ ଫେରିଯିବା, ମନ୍ଦିରକୁ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସେବାୟତ ରୋଜଗାର ହରାଇବା ଦୁର୍ଭାଗ୍ୟଜନକ ବୋଲି ସେନା ପକ୍ଷରୁ କୁହାଯାଇଛି । ଏପରିକି ନିଜର ଅବହେଳା ଯୋଗୁଁ ଝୁଲାପୋଲକୁ ବିପଦଶଙ୍କୁଳ ଘୋଷଣା କରିବା ସହ ୧୪୪ଧାରା ଜାରି କରାଯାଇ ମନ୍ଦିର ପାଖକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ମାତ୍ର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ । ପ୍ରଶାସନ କେବଳ ବଡ଼ବଡ଼ କଥା କହି ଚାଲିଯିବା ସହ ଆଜି ପର୍ଯ୍ୟନ୍ତ ଝୁଲାପୋଲ ମରାମତି ନହେବା ଏବଂ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯିବା ପ୍ରତିବାଦରେ ବାବା ଧବଳେଶ୍ୱର ପୂଜକ ସମିତି ପକ୍ଷରୁ ପ୍ରତିବାଦ ଚାଲିଛି । ଦୀର୍ଘ ୪ଦିନ ଧରି ଅହୋରାତ୍ର ଶାନ୍ତିପୂର୍ଣ୍ଣ ଧାରଣା ଚାଲିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଓ ସରକାର କାହାରି ନଜର ନରହିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ହିନ୍ଦୁସେନା ପକ୍ଷରୁ ସେବାୟତଙ୍କ ବିକ୍ଷୋଭକୁ ସମର୍ଥନ କରି ନୂଆପାଟଣା ସେତୁ ନିକଟରେ ବାବା ଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଜଜ୍ଞ କରାଯିବା ସହ ସରକାରଙ୍କୁ ବାବା ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ । ଦୀର୍ଘ ୨୫ବର୍ଷ ଧରି ଶାସନକଳ ହାତରେ ରହିବା ଦ୍ୱାରା ରାଜ୍ୟସରକାର ସମ୍ପୂର୍ଣ୍ଣ ଅହଂକାରୀ, ବୁଦ୍ଧିଭ୍ରଷ୍ଟ ହୋଇ ପଡ଼ିଥିବା ଭଳି ସଂଗୀନ ଅଭିଯୋଗ ଉଠାଇଥିଲେ । ବାବା ଧବଳଶ୍ୱର ପୀଠର ସମସ୍ୟା ତୁରନ୍ତ ସମାଧାନ କରିବା ନିମନ୍ତେ ହିନ୍ଦୁସେନା ପକ୍ଷରୁ ସରକାର ଓ ପ୍ରଶାସନକୁ ୪ଦଫା ଦାବି କରାଯାଇଛି । ପ୍ରଥମତଃ ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ପାଇଁ ଲାଗିଥିବା ପ୍ରତିବନ୍ଧକକୁ ବନ୍ଦ କରାଯିବା, ତୁରନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବା, ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହୁଥିବାରୁ ସେବାୟତମାନେ ଆର୍ôଥକ ସଂକଟରେ ଗତି କରୁଛନ୍ତି ତେଣୁ ସମସ୍ତ ସେବାୟତଙ୍କ ସମ୍ମାନ ସହ କ୍ଷତିପୂରଣ ପ୍ରଦାନ କରିବା, ଝୁଲାପୋଲ ମରାମତି ନିମନ୍ତେ ଜନସାଧାରଣଙ୍କ ନିକଟରୁ ଦୀର୍ଘ ବର୍ଷ ଧରି ଆଦାୟ ହେଉଥିବା ଅର୍ଥ ହରିଲୁଟର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡବିଧାନ କରାଯିବା, ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ଆଜିର ଏହି ପ୍ରତିବାଦ ସମାବେଶରେ ସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ, ମୁଖ୍ୟ ଉପଦେଷ୍ଟା ସଞ୍ଜିତ ସାମଲ, ଜିଲ୍ଲା ସଭାପତି ଆଶିଷ ମହାପାତ୍ର, ସାଧାରଣ ସମ୍ପାଦକ ଶିନୁଶ୍ରୀ ବିଶ୍ୱାଳ, ସୁଜିତ ଦାସ, ରୂପକ ପ୍ରଶାଦ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ