ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

#ଆଠଗଡ଼(ଏନ୍.ଏମ୍.): ଚଳିତ ମାସ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଚୀି ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟ ନିର୍ବାହୀ ହେମନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ପୀଠକୁ ଆସିବାକୁ ନିର୍ମାଣ ହୋଇଥିବା ଅଢ଼େଇ କିଲମିତର ଅସ୍ଥାୟୀ ପାଦ ଚଳା ରାସ୍ତା ଦେଇ ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ମାନେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସମ୍ଭବ ହେଉନାହିଁ । ଏଣୁ ସେହି ଭକ୍ତମାନଙ୍କୁ ଦର୍ଶନ କରିବାକୁ ସୁଯୋଗ ଦେବାପାଇଁ ପ୍ରଶାସନ ବିହିତ ବ୍ୟବସ୍ଥା କରିବାକୁ ପୂଜକ ସମାଜ ତରଫରୁ ସଭାପତି ବିଷ୍ଣୁଚରଣ ପତ୍ରୀ ଅନୁରୋଧ କରିଥିଲେ । କୋଭିଡ କଟକଣା ହେତୁ ଗତ ଦୁଇବର୍ଷ ହେଲା ଜାଗର ଯାତ୍ରା ବନ୍ଦ ଥିଲା । ତେଣୁ ଚଳିତ ବର୍ଷ ଭକ୍ତମାନଙ୍କ ଭିଡ଼ ହେବାର ଅନୁମାନ କରାଯାଉଛି । ସେଥିପାଇଁ ଭିଡ ନିୟନ୍ତ୍ରଣ କରି ଭକ୍ତମାନେ କିଭଳି ଶୃଙ୍ଖଳାର ସହ ବାବାଙ୍କ ଦର୍ଶନ କରିବେ ଚୌଦ୍ୱାର ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବ୍ରତ ଲେଙ୍କା ଆବଶ୍ୟକ ପୁଲିସ ବ୍ୟବସ୍ଥା କରିବାକୁ ଅନୁରୋଧ କରାଗଲା । ଗୁରୁଡ଼ିଝାତିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ମୁତୟନ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଅନନ୍ତ ଗୋପାଲ ଭକ୍ତ ସମାଜ ପୀଠର ପରିମଳ ବ୍ୟବସ୍ଥା ନେବାକୁ ଅନୁରୋଧ କରାଗଲା । ପୀଠରେ ଚବିଶ ଘଣ୍ଟିଆ ବିଜୁଳି ବ୍ୟବସ୍ଥା ,ପାନୀୟ ଜଳ ବ୍ୟବସ୍ଥା ଓ ଛିନିତାଇ ଓ ପକେଟମାର ଉପରେ ନିରୀକ୍ଷଣ କରିବାକୁ ସଂପୃକ୍ତ ବିଭାଗକୁ ଅନୁରୋଧ କରାଗଲା । ଯାତ୍ରା ଦିନ ଦୁର୍ଘଟଣା ଏଡାଇବା ପାଇଁ ଅଗ୍ନିଶମ ବାହିନୀକୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିବା । ଜାଗର ଦିନ ବାବାଙ୍କ ନୀତିକାନ୍ତି ସୁଚାରୁ ରୂପେ ସମୟ ନିର୍ଘଣ୍ଟ ଅନୁଯାଇ ନିର୍ବାହ କରିବା ପାଇଁ ପୂଜକ ସମାଜ ପ୍ରତିଶ୍ରୁତି ଦେଇଥିଲେ । ରାତି ୧୦ଟା ବେଳକୁ ମହାଦୀପ ଉଠିବାକୁ ସ୍ଥିର କରାଗଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ସମସ୍ତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଅଧିକାରୀ ଅଲେଖ ଚନ୍ଦ୍ର ଦାସ ବୈଠକକୁ ପରିଚାଳନା କରିଥିଲେ ।