ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ନବୀନଙ୍କ ଛାଟ
୩ ଜଣଙ୍କୁ ଚାକିରିରୁ ବିଦା, ୬ ଜଣଙ୍କ ପେନସନ ବନ୍ଦ
#ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ଏବେ ଦୁର୍ନୀତି ବଢ଼ୁଥିବାବେଳେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତତ୍ପରତା ଦେଖାଇଛନ୍ତି । ଦୁର୍ନୀତିକରୁଥିବା କୌଣସି ଅଧିକାରୀଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ଭିତରୁ ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ସରକାର ପୁଣି ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଏଥିରେ ବିଭିନ୍ନ କ୍ଷେତ୍ରର ଅଧିକାରୀଙ୍କ ମଧ୍ୟରେ ଏଜ୍ୟୁକ୍ୟୁଟିଭ ଇଂଜିନିୟର, ଓଏଏସ୍ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିଅର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନସନ ବନ୍ଦ କରାଯାଇଛି । ଏହି ୯ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା ଆର ଡବ୍ଲୁଏସଏସର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ୱାଳ ଏକ ଦୁର୍ନୀତି ମାମଲାରେ ଦେଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କର ପେନସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ପୁନଶ୍ଚ ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁର୍ନୀତି, ଅପାରଗତା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ ଡିଏମଏସଏନ୍ ସୁପରିଣ୍ଟେଣ୍ଡେଟ ଡକ୍ଟର ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ପାଉଥିବା ପେନସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସେହିଭଳି ବରଗଡ ଜିଲ୍ଲା ସୋହେଲା ଆର ଡବ୍ଲୁଏସଏସର ପୂର୍ବତନ ଜୁନିଅର ଇଂଜିନିୟର ଉପେନ୍ଦ୍ରଭଞ୍ଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ୱେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ । ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶିଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁର୍ନୀତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ମୟୁରଭଞ୍ଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି । ତେବେ ଆଗକୁ କୌଣସି ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।