‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ
# କଟକ(ଏନ୍.ଏମ୍.): ପାର୍ବଣ ଯେତିକି ଯେତିକି ପାଖେଇ ଆସୁଛି ସରକାରଙ୍କ କରୋନା କଟକଣାକୁ ନେଇ ବିରୋଧ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଛି । କଟକରେ ମା’ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଥିବାବେଳେ ରାଜ୍ୟସରକାର କରୋନା କଟକଣା ପାଇଁ ସ୍ୱତନ୍ତ୍ର ପାର୍ବଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ, ମୂର୍ତ୍ତି ୪ ଫୁଟ ଉଚ୍ଚତାରେ ସୀମିତ ରଖିବାକୁ କୁହାଯାଇଛି । ଯାହାକୁ ନେଇ କଟକରେ ଆରମ୍ଭ ହୋଇଛି ଅସନ୍ତୋଷ । ରାଜ୍ୟ ସରକାରଙ୍କ ଏହି ନିୟମକୁ ବିଭିନ୍ନ ପୂଜା ଅନୁଷ୍ଠାନ ତଥା ରାଜନୈତିକ ଦଳ ବିରୋଧ କରିଛନ୍ତି । ଏପରିକି ଏହା ବିରୋଧରେ ବିଜେପି ପକ୍ଷରୁ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦିଆଯାଇଛି । ତେବେ ବିଜେପିର କଟକ ବନ୍ଦ ଡାକରାକୁ ନେଇ କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବ୍ୟକ୍ତିଗତସ୍ତରରେ କଟକରେ ମା’ଙ୍କ ପୂଜା ପାରମ୍ପରିକ ଭାବେ ହେଉ ବୋଲି ମୁଁ ଚାହିଁବି । ହେଲେ ପୂଜାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ଦୁର୍ଗାପୂଜା କେବଳ ବିଜେପିର ନୁହେଁ । ଶାନ୍ତି କମିଟି ବୈଠକରେ ସମୀର ଦେ ଅନୁପସ୍ଥିତ ଥିଲେ । ଏଥିରୁ ପ୍ରମାଣିତ ହେଉଛି ତାଙ୍କର କଟକ ପ୍ରତି କେତେ ଦରଦ ରହିଛି । ସେ ପୁଣି କହିଛନ୍ତି ଯେ, ଭାରତ ବର୍ଷରେ କିପରି ପର୍ବପର୍ବାଣୀ ପାଳନ କରାଯିବ, ତାହା ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ ଦେଇଛନ୍ତି । ରାଜ୍ୟରେ ପୁଣି ଥରେ ମହାମାରୀ ବ୍ୟାପକ ରୂପ ନେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶୁଣାଇ ଦେଇଛି । କେନ୍ଦ୍ରରେ ଶାସନରେ ଥିବା ତାଙ୍କ ଦଳ ଏଭଳି ଗାଇଡ଼ଲାଇନ ଜାରି କରିଛି ବିଜେଡି ନୁହେଁ । ତେଣୁ ମା’ଙ୍କ ପୂଜାକୁ ନେଇ ରାଜନୀତି କରନ୍ତୁ ନାହିଁ । ଯଦି ବନ୍ଦ ଡାକରା ଦେଉଛନ୍ତି, ତାହାହେଲେ ସବୁ ଦଳ ଓ ପୂଜା କମିଟିକୁ ଏକାଠି କରି ବନ୍ଦ ଡାକରା ଦିଅନ୍ତୁ । ଯଦି ରାଜନୈତିକ ଉଦ୍ଦେଶ୍ୟ ନେଇ ଏହି ବନ୍ଦ ଡାକରା ଦିଆଯାଉଥିବ, ତାହାହେଲେ ଠିକ୍ ନୁହେଁ । ନିୟମ ସମଗ୍ର ରାଜ୍ୟ ପାଇଁ ସମାନ । କଟକ ପାଇଁ ଏକ ସ୍ୱତନ୍ତ୍ର ନିୟମ ହୋଇ ପାରିବ ନାହିଁ । କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ମୂର୍ତ୍ତିର ଉଚ୍ଚତା ବଢ଼ାଇବା ସହ ପରଦା ଖୋଲାଯାଉ ବୋଲି ଦାବି ଜଣାଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି ।
ଅନ୍ୟ ପକ୍ଷରେ ବିଜେପି ନେତା ସମୀର ଦେ କହିଛନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏବେ ସବୁଠି କରୋନା କଟକଣା କୋହଳ ହୋଇଛି, ସବୁ ଖୋଲି ଯାଇଛି । ତେଣୁ ମା’ଙ୍କ ଦର୍ଶନ କରିବାକୁ ସମସ୍ତଙ୍କୁ ସୁଯୋଗ ଦିଆଯିବା ଉଚିତ । ମା’ଙ୍କ ଭବ୍ୟ ମୂର୍ତ୍ତି ଯେପରି ତିଆରି ହେଉଥିଲା, ସେପରି ତିଆରି ହେବା ଆବଶ୍ୟକ । ଯଦି ସରକାର ଏହି କଥାକୁ ପୁନଃ ବିଚାର ନକରନ୍ତି, ଆମେ ମା’ଙ୍କ ଦର୍ଶନ କରିବାରେ ସୁଯୋଗ ନ ପାଉ, ତାହାହେଲେ ଆମେ ୧୩ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବୁ ।
ସେହିଭଳି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକ ସହରରେ ମା’ଙ୍କ ପୂଜା ପାଇଁ ସମସ୍ତେ ବ୍ୟାକୁଳ । ଏଥିପାଇଁ ଆମେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପୂଜା ମଣ୍ଡପରୁ ପରଦା ହଟାଇବାକୁ ଗୃହରେ ଦାବି କରିଥିଲୁ । ଏହା ଉପରେ ବାଚସ୍ପତି ରୁଲିଂ ଦେବାକୁ ଆମେ ଦାବି କରିଥିଲୁ । ତେବେ ପାର୍ବଣକୁ ନେଇ ସରକାରଙ୍କ କଟକଣା ବିରୋଧରେ କେବଳ ବିଜେପି ନୁହେଁ, ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟରୁ ଅଧିକ କରିବାକୁ କଟକର ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା ଦାବି କରିଆସୁଛନ୍ତି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପାର୍ବଣ ଲାଗି ଗାଇଡଲାଇନ୍ ଜାରି ହୋଇଥିଲା । ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ । ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।