ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ
ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲା ଉପକଣ୍ଠମାନଙ୍କରେ ଥିବା ଜଙ୍ଗଲରେ ଏବେ ବେଆଇନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଶିକାରୀମାନଙ୍କୁ ଲଗାମ ଲଗାଇବା ଦିନକୁ ଦିନ ଅସମ୍ଭବ ହୋଇ ପଡ଼ୁଛି । ଯାହକୁ ନେଇ ବନ୍ୟଜନ୍ତୁ ପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲାର ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଦେବଭୂଇଁ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ୨ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ଉକ୍ତ ଜଙ୍ଗଲରେ ବନ ବିଭାଗ ପହରା ଦେଉଥିବା ବେଳେ ୨ଜଣ ଶିକାରୀଙ୍କ ଠାରୁ ହରିଣ ଛାଲ, ସିଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବାଞ୍ଚଳ ରେଞ୍ଜର ବିଭୁ ରଞ୍ଜନ ରାୟ, ବନପାଳ ବିଶ୍ୱଜିତ ପୃଷ୍ଟି, ବାମନ ରାଉତଙ୍କ ସମେତ ଏପିଆର ପୁଲିସ ଫୋର୍ସ ଜଙ୍ଗଲ ଭିତରକୁ ଯାଇଥିବାବେଳେ ଗୋଟିଏ ସ୍ଥାନରେ ୪ ଜଣ ଶିକାରୀଙ୍କୁ ଦେଖିବାକୁ ପାଇଥିଲେ । ଉକ୍ତ ଶିକାରୀଙ୍କ ମଧ୍ୟରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ତାଳପୁଞ୍ଜି ଗ୍ରାମର ଲକ୍ଷ୍ମଣ ପ୍ରଧାନ (୪୦) ଓ ବାବୁଲି ପ୍ରଧାନ (୩୪)ଙ୍କୁ କାବୁ କରିଥିବାବେଳେ ଅନ୍ୟ ୨ଜଣ ଶିକାରୀ ଫେରାର ହୋଇଯାଇଥିଲେ । ଶିକାରୀଙ୍କୁ କାବୁ କରିବା ସମୟରେ ସେହି ସ୍ଥାନରୁ ଏକ ହରିଣ ସିଙ୍ଗ, ହରିଣ ଛାଲ ସମେତ ପ୍ଲାଷ୍ଟିକ ଓ ଲୁହା ନିର୍ମିତ ଫାଶ, ଛୁରୀ, କଟୁରୀ, କାଠ ମୁଣ୍ଡା ସହିତ ଧନୁତୀର ଜବତ କରିଛନ୍ତି । ଏହା ପରେ ଆଠଗଡ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବା ନେଇ ରେଞ୍ଜର ଶ୍ରୀ ରାୟ ପ୍ରକାଶ କରିଥିଲେ ।