ଦାୟିତ୍ୱ ନେଲେ ନୂଆ ଡିଜିପି ସୁନୀଲ ବଂଶଲ

କଟକ(ଏନ୍.ଏମ୍.): ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ପୂର୍ବତନ ଡିଜିପି ଅଭୟ ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ଅବସରରେ ବରିଷ୍ଠ ପୁଲିସ ଅଧିକାରୀମାନେ ନୂତନ ଡିଜିପି ଶ୍ରୀ ବଂଶଲଙ୍କୁ ସ୍ୱାଗତ ଜଣାଇଥିଲେ । ଏଥି ସହିତ ପୂର୍ବତନ ଡିଜି ଶ୍ରୀ ଅଭୟଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ରାଜସ୍ଥାନର ଜୟପୁର ଠାରେ ୧୯୬୨ ଜୁନ ୧୭ରେ ଶ୍ରୀ ବଂଶଲ ଜନ୍ମ ଗ୍ରହଣ କରିଥିଲେ । ୧୯୮୭ ଡିସେମ୍ବର ୧୫ରେ ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡିଶାରେ ଥିବା ସମୟରେ ଶ୍ରୀ ବଂଶଲ ମୟୁରଭଞ୍ଜ ଜିଲ୍ଲା ଏସପି, ସମ୍ବଲପୁର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପୂର୍ବରୁ ମଧ୍ୟ ଏସଡିପିଓ ଏବଂ ଅତିରିକ୍ତ ଏସପି ଭାବରେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ପରେ ୧୯୯୪ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଶ୍ରୀ ବଂଶଲ ବିଭିନ୍ନ ପଦପଦବିରେ ରହିଥିଲେ । ତେବେ ଓଡିଶା ଡିଜିପି ହେବା ପୂର୍ବରୁ ଶ୍ରୀ ବଂଶଲ କେନ୍ଦ୍ରରେ ଗୁଇନ୍ଦା ବ୍ୟୁରୋ(ଅଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଡିଜିପି ଚୟନ ଲାଗି ୟୁପିଏସସି ଯେଉଁ ତିନି ଜଣ ଆଇପିଏସ ଅଧିକାରୀଙ୍କୁ ତାଲିକାଭୁକ୍ତ କରିଥିଲା, ତନ୍ମଧ୍ୟରୁ ଗତ ଡିସେମ୍ବର ୧୫ରେ ଶ୍ରୀ ବଂଶଲଙ୍କ ନାଁରେ ରାଜ୍ୟ ସରକାର ମୋହର ମାରିଥିଲେ । ଏହି କ୍ରମରେ ଗୁରୁବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚଥିଲେ । ସେଠାରେ ଶ୍ରୀ ବଂଶଲଙ୍କୁ ବରିଷ୍ଠ ପୁଲିସ ଅଧିକାରୀ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ । ପରେ ଆଜି ପୁଲିସ ମୁଖ୍ୟାଳୟରେ ଡିଜିପି ଭାବେ ଶ୍ରୀ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡିଜିପି ଶ୍ରୀ ବଂଶଲ ଓଡିଶାବାସୀଙ୍କ ସୁରକ୍ଷାକୁ ସର୍ବାଗେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରଥମତଃ ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦରୁ ଓଡିଶାବାସୀଙ୍କ ସେବା କରିବା ପାଇଁ ଅବସର ମିଳିଛି ବୋଲି କହିଛନ୍ତି । ତତସହିତ ଏତେବଡ ଗୁରୁଦାୟିତ୍ୱ ଦେଇଥିବାରୁ ଡିଜିପି ଶ୍ରୀ ବଂଶଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗରେ ଅତ୍ୟାଧୁନିକୀକରଣ, ମାଓଦମନ, ନିଶା କାରବାର, ଅପରାଧ ଦମନ ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ବଂଶଲ କହିଛନ୍ତି ।