ଦାମ୍ପତ୍ୟ ବିବାଦ: ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ
କଟକ(ଏନ୍.ଏମ୍.): ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ହାଇକୋର୍ଟ ଉକ୍ତ ମାମଲାର ଅନ୍ତ ଘଟାଇଥିବା ଜଣାପଡ଼ିଛି ।
ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ଅନୁଭବ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସେ ଆବେଦନ କରିଥିଲେ । ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରି ନାହିଁ । ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ତାହା ଫଳପ୍ରଦ ହୋଇପାରି ନଥିଲା । ସେହିଭଳି ଅନୁଭବ ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ । ଆପୋଷ ବୁଝାମଣା ସମ୍ଭବ ହୋଇପାରୁ ନଥିବା ହୃଦୟଙ୍ଗମ କରି ଏହାର ତ୍ୱରିତ ବିଚାର ପ୍ରକ୍ରିୟାକୁ କୋର୍ଟ ପକ୍ଷରୁ ରଦ୍ଦ କରିଦିଆଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ୯ତାରିଖରେ ଉଭୟେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ସେଦିନ ଆପୋଷ ସମଧାନ ହୋଇ ପାରିନଥିଲା । ଏଥିପାଇଁ ପରେ ପୁଣି ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା । ତେବେ ଉଭୟେ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନର ଦିଗ ବାହାରି ପାରି ନଥିଲା । ଛାଡ଼ପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା । ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ । ସେହିଭଳି ଅନୁଭବ ଯେତେବେଳେ କୋର୍ଟକୁ ଆସୁଥିଲେ ସେତେବେଳେ ବର୍ଷା ହାଜର ହେଉନଥିଲେ । ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବା ଜଣାପଡ଼ିଛି ।