ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ
ଆଠଗଡ଼ (ଏନ୍.ଏମ୍.): ବିକ୍ଷୋଭ ପ୍ରଦର୍ଶନ ବେଳେ କଟକ ଜିଲ୍ଲା ନରସିଂହପୁର ଥାନାରେ ଧଶେଇ ପଶିବା ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପି ନେତା ବିଜୟ କୁମାର ଦଳବେହେରା, ତାଙ୍କ ଭାଇ ଓ ଅନ୍ୟ ଜଣେ ସମର୍ଥକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ଥାନା ପୁଲିସ ବଡମ୍ବା ଅଞ୍ଚଳ ରତାପାଟ ଗାଁର ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଅଞ୍ଚଳରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଏକ ଅପହରଣ ଓ ମାରଧାର ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଥିବା ବେଳେ ବିଜେପି କର୍ମୀ ଓ ନେତା ଏହାକୁ ମାନିବାକୁ ନାରାଜ । ତେବେ ବିଜେପି ସଂଗଠନକୁ ଭାଙ୍ଗିବା ପାଇଁ ବିନା କାରଣରେ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ପୁଲିସ୍ ସେମାନଙ୍କୁ ଗିରଫ କରିଥିବା କର୍ମୀମାନେ ଅଭିଯୋଗ କରିବା ସହ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭ ଧିରେ ଧିରେ ତିବ୍ରତର ହେବା ସହ ବିକ୍ଷୋଭକାରୀମାନେ ଥାନା ଗେଟରେ ତାଲା ପକାଇ ଦେଇଥିଲେ । ଫଳରେ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାଦ୍ୱାରା ପୁଲିସ୍ ଓ ଆନ୍ଦୋଳନକାରୀ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ତେଣୁ ପୁଲିସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଉ ମୃଦ୍ୟୁ ଲାଠି ଚାଳନା କରିଥିଲା । ଏହି ସମୟରେ ବିକ୍ଷୋଭକାରୀମାନେ ମଧ୍ୟ ପୁଲିସ୍ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ । ଏଥିରେ ୪ ଜଣ ପୁଲିସ୍ କର୍ମଚାରୀ ଓ ୩ ଜଣ ବିଜେପି କର୍ମୀ ଆହତ ହୋଇଥିଲେ । ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଜଣେ ହୋମଗାର୍ଡଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ଶ୍ରୀ ଦଳବେହେରା ଏଭଳି କାଣ୍ଡ ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିବା କଟକ ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।