ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି
କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ଦବଦବା ଦେଖାଇ ପାରିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଥିବାବେଳେ ଏଥର କିନ୍ତୁ ଜନତା ଜନାର୍ଦ୍ଦନ ବିଜେଡି ପ୍ରତି ଆକର୍ଷିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ ଗଣତିରେ ବିଜେପି ଓ କଂଗ୍ରେସ ୨ଅଙ୍କରେ ସୀମିତ ଥିବାବେଳେ ବିଜେଡି ୩ଅଙ୍କରେ ପହଞ୍ôଚଛି ।
ରାଜ୍ୟର ୮୫୧ଟି ଜିଲ୍ଲାପରିଷଦ ଜୋନର ୬୭୯୪ ଟି ପଞ୍ଚାୟତରେ ସମିତି ସଭ୍ୟ ଓ ସରପଞ୍ଚଙ୍କ ସମେତ ୯୧ହଜାର ୯୧୩ଟି ୱାର୍ଡ଼ରେ ନିର୍ବାଚନ ହୋଇଥିଲା । ନିର୍ବାଚନ ପରେ ୨୬ତାରିଖ ଦିନ ୩୧୫ଟି ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହୋଇଥିବାବେଳେ ବିଜେଡି ସର୍ବାଧିକ ୨୮୧ଟି, ବିଜେପି ୧୩ଟି ଓ କଂଗ୍ରେସ ୧୬ଟି ଜୋନରେ ପ୍ରାର୍ଥୀମାନେ ବିଜୟ ହୋଇଥିଲେ । ଇତି ମଧ୍ୟରୁ ୫ଜଣ ସ୍ୱାଧୀନ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ତେବେ କଟକ ଜିଲ୍ଲାରେ ମୋଟ ୪୬ଟି ଆସନ ମଧ୍ୟରୁ ପ୍ରଥମ ଦିନ ୧୪ଟି ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହୋଇଥିଲା । ସେଥିମଧ୍ୟରୁ ୧୩ଟି ଆସନ ବିଜେଡି ଅକ୍ତିଆର କରିଥିବାବେଳେ ବିଜେପି ମାତ୍ର ୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ତେବେ ପ୍ରଥମ ଦିନରେ କଟକ ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନଥିବା ଜଣାପଡ଼ିଛି । ସେହିଭଳି କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନ ବେଶ ରୋଚକ ଥିଲା । କିଏ ବିଜୟ ଲାଭ କରିବ ସେ ନେଇ ବହୁ କଳ୍ପନା ଜଳ୍ପନା ମଧ୍ୟ ଚାଲିଛି । ହେଲେ ପ୍ରଥମ ଦିନରେ ୧୦ ନମ୍ବର ଜୋନରେ ବିଜେଡିର ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ବିଜୟ ଲାଭ କରିଥିବାବେଳେ ଆଜି ୧୧ନମ୍ବର ଜୋନର ଗଣତି ଚାଲିଛି । ତେବେ ଏହି ଜୋନରେ ବିଜେପି ଓ ବିଜେଡି ମଧ୍ୟରେ କଡ୍ଡା ଟକ୍କର ହୋଇଥିବା ଗଣତି ସମୟରେ ଦେଖିବାକୁ ମିଳିଛି । ତେବେ ଗତକାଲି ୧୦ନମ୍ବର ଜୋନ ଅଧିନରେ ଥିବା ପଞ୍ଚାୟତଗୁଡ଼ିକରେ ମଧ୍ୟ ବିଜେଡି ନିଜର ସ୍ଥିତି ଜାହିର କରିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ନିଜ ଦଳ ସମର୍ଥୀତ ପ୍ରାର୍ଥୀମାନଙ୍କୁ ଜିତାଇବାରେ ସକ୍ଷମ ହୋଇଛନ୍ତି । ଏହି ଜୋନର ବଡ଼ସାମନ୍ତରାୟପୁର ପଞ୍ଚାୟତନରେ ବିଶ୍ୱଜିତ ମାଝୀ ୨୧୬୫ଖଣ୍ଡ ଭୋଟ ପାଇଥିବାବେଳେ ରଞ୍ଜନ ବସ୍ତିଆ ୧୨୩୪ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ସେହିଭଳି ମଙ୍ଗରାଜପୁର ପଞ୍ଚାୟତରେ ଦେବେନ୍ଦ୍ର ପାଣ୍ଡବ ୧୪୬୧ଖଣ୍ଡ ଭୋଟ ପାଇଥିବାବେଳେ ଅଶୋକ ପରିଡ଼ା ୫୬୫ଖଣ୍ଡ ଭୋଟ ପାଇ ହାରିଯାଇଛନ୍ତି । ଶଙ୍କରପୁର ପଞ୍ଚାୟତରେ ପ୍ରମୋଦିନୀ ଖଟୁଆ ୨୪୫୩ଖଣ୍ଡ ଭୋଟ ପାଇଥିବାବେଳେ ମାମି ରାଉତ ମାତ୍ର ୧୮୦ଖଣ୍ଡ ଭୋଟ ପାଇଥିଲେ । ମହିଷାଲଣ୍ଡା କଲ୍ୟାଣୀ ରାଉତ ୮୫୯ଖଣ୍ଡ ଭୋଟ ପାଇଥିବାବେଳେ ହରିପ୍ରସାଦ ସାମଲ ୪୯୯ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଛନ୍ତି । ବ୍ରହ୍ମପୁର ପଞ୍ଚାୟତରେ କଲ୍ୟାଣୀ ଦାସ ୧୫୩୮ଖଣ୍ଡ ଭୋଟ ପାଇଥିବାବେଳେ ସୁଜାତା ରାଉତ ୧୪୫୦ଖଣ୍ଡ ଭୋଟ ନେଇ ପରାସ୍ତ ହୋଇଛନ୍ତି । ପୁନଶ୍ଚ କରଞ୍ଜି ପଞ୍ଚାୟତରେ ମହେଶ୍ୱର ମହନ୍ତ ୧୮୮୨ଖଣ୍ଡ ଭୋଟ ପାଇଥିବାବେଳେ ପବିତ୍ର ବେଉରା ୧୨୧୨ଖଣ୍ଡ ଭୋଟ ପାଇଛନ୍ତି । ଗରୁଡଗାଁ ପଞ୍ଚାୟତରେ ଦୀପ୍ତିମୟୀ ବେହେରା ୨୧୭୮ଖଣ୍ଡ ଭୋଟ ପାଇଥିବାବେଳେ ଚିନ୍ମୟୀ ବେହେରା ୨୦୯୭ଖଣ୍ଡ ଭୋଟ ନେଇ ହାରିଯାଇଛନ୍ତି । ସଫା ପଞ୍ଚାୟତରେ ନିବାସ ପାଣ୍ଡବ ୧୭୧୮ଖଣ୍ଡ ଭୋଟ ପାଇଥିବାବେଳେ ପ୍ରଫୁଲ୍ଲ ନାୟକ ୧୬୮୮ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି ।