ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଜୋରଦାର ଚାଲିଛି । ଜିଲ୍ଲାପରିଷଦ ଜୋନ ସଦସ୍ୟମାନନେ ବିଭିନ୍ନ ଦଳରୁ ଟିକେଟ ନେଇ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡ଼ସଦସ୍ୟମାନେ ପରୋକ୍ଷରେ ବିଭିନ୍ନ ଦଳୀୟ ସମର୍ଥନ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହି ପରିପେକ୍ଷୀରେ କଟକ ଜିଲ୍ଲାର ୩ଟି ଉପଜିଲ୍ଲାପାଳ କାର୍ଯ୍ୟାଳୟ ୧୪ଟି ବ୍ଲକ କାର୍ଯ୍ୟାଳୟ ସମେତ ୩୭୩ଟି ପଞ୍ଚାୟତ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ଠାରୁ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଶତାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟ କିଛି ପ୍ରାର୍ଥୀ ନାମାଙ୍କନପତ୍ର କ୍ରୟ କରିଥିବାବେଳେ ଶୁଭଲଗ୍ନ ଦେଖି ଦାଖଲ କରିବେ ବୋଲି ଜଣାପଡ଼ିଛି । କଟକ ଜିଲ୍ଲାର ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୫୭୦୩ଟି ୱାର୍ଡସଭ୍ୟ ପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ନିମନ୍ତେ ପ୍ରାର୍ଥୀପତ୍ର କ୍ରୟ କରିଥିବାବେଳେ ଆଉ କିଛି ପ୍ରାର୍ଥୀଦଳୀୟ ସମର୍ଥନ ନପାଇବାରୁ ଅସନ୍ତୁଷ୍ଟ ହେବା ସହ ନିଜର ପତିଆରା ଜାହିର କରିବା ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ଜଣାପଡ଼ିଛି । ବିଶେଷ କରି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି । ତେବେ ଆଜି ନାମାଙ୍କନପତ୍ର ଦାଖଲର ଦ୍ୱିତୀୟ ଦିନରେ ୧୪ଟି ବ୍ଲକରୁ ୯୫୫ଜଣ ୱାର୍ଡ଼ ସଦସ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୧୧୧ଜଣ ସରପଞ୍ଚ ଓ ୬୨ଜଣ ସମିତି ସଭ୍ୟ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଏ ନେଇ କଟକ ଜିଲ୍ଲାର ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା ଆଦି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ପ୍ରକାଶ ପାଇଛି । ତେବେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳିରେ କୌଣସି ପଞ୍ଚାୟତ ନଥିବା ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀ ନିରବଦ୍ରଷ୍ଟା ସାଜିଛି । ସେହିଭଳି ଜିଲ୍ଲାର ୧୪ଟି ବ୍ଲକରେ ନାମାଙ୍କନପତ୍ର କ୍ରୟ ଓ ଦାଖଲ ଆରମ୍ଭ ହୋଇଛି । ତେବେ ଜିଲ୍ଲାର ନିଆଳି ବ୍ଲକରେ ୱାର୍ଡ଼ ସଦସ୍ୟ ନିମନ୍ତେ ୧୨୮ଟି ନାମାଙ୍କନପତ୍ର ଦାଖଲ ହୋଇଛି । ସେହିଭଳି ଏହି ବ୍ଲକରେ ସରପଞ୍ଚ ନିମନ୍ତେ ୧୧ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ପୁନଶ୍ଚ ସମିତି ସଭ୍ୟନିମନ୍ତେ ୭ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି କଣ୍ଟାପଡ଼ା ବ୍ଲକରେ ମୋଟ ୬୦ଜଣ ୱାର୍ଡ଼ ସଦସ୍ୟ, ସରପଞ୍ଚ ନିମନ୍ତେ ୮ଜଣ, ସମିତି ସଭ୍ୟ ନିମନ୍ତେ ଆଜି ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବାରଙ୍ଗ ବ୍ଲକରେ ଗତକାଲି ୯୭ଜଣ ୱାର୍ଡ଼ ମେମ୍ବର, ସରପଞ୍ଚ ନିମନ୍ତେ ୮ଜଣ ଏବଂ ସମିତିସଭ୍ୟ ନିମନ୍ତେ ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତିଗିରିଆ ବ୍ଲକରେ ୱାର୍ଡ଼ ମେମ୍ବର ନିମନ୍ତେ ଗତକାଲି ୩୧ଜଣ, ସରପଞ୍ଚ ନିମନ୍ତେ ଆଜି ୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାଲେପୁର ବ୍ଲକରେ ୱାର୍ଡ଼ ସଦସ୍ୟ ନିମନ୍ତେ ୨୦୮ଜଣ, ସରପଞ୍ଚ ନିମନ୍ତେ୧୯ଜଣ, ସମିତିସଭ୍ୟ ନିମନ୍ତେ ୧୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପୁନଶ୍ଚ ଆଠଗଡ଼ ବ୍ଲକରେ ୱାର୍ଡ଼ମେମ୍ବର ପାଇଁ ୪୮ଜଣ, ସରପଞ୍ଚ ନିମନ୍ତେ ଗତକାଲି ୫, ପଞ୍ଚାୟତ ସମିତି ସଭ୍ୟ ପାଇଁ ୩ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବଡ଼ମ୍ବା ବ୍ଲକରେ ୬୦ଜଣ ୱାର୍ଡ଼ ମେମ୍ବର ପ୍ରାର୍ଥୀ, ସରପଞ୍ଚ ନିମନ୍ତେ ୧୪ଜଣ ଏବଂ ସମିତି ସଭ୍ୟ ନିମନ୍ତେ ୯ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମାହାଙ୍ଗାରେ୧୪୯ଜଣ ୱାର୍ଡ଼ ସଦସ୍ୟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ସରପଞ୍ଚ ନିମନ୍ତେ ଗତକାଲି ୨୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ସମିତି ସଭ୍ୟ ନିମନ୍ତେ ୮ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଟାଙ୍ଗୀ-ଚୌଦ୍ୱାର ବ୍ଲକରେ୧୪୫ଜଣ ପ୍ରାର୍ଥୀ ୱାର୍ଡ ମେମ୍ବର ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ନିମନ୍ତେ ଗତକାଲି ୨୮ଜଣ ଏବଂ ସମିତି ସଭ୍ୟ ନିମନ୍ତେ ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ନିଶ୍ଚିନ୍ତ କୋଇଲି ବ୍ଲକରେ ଦୁଇଦିନରେ ୨୨୯ଜଣ ୱାର୍ଡ଼ ସଦସ୍ୟ, ୨୩ଜଣ ସରପଞ୍ଚ ଓ ୧୦ଜଣ ସମିତିସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାଙ୍କୀ-ଡମପଡ଼ା ବ୍ଲକରେ ଦୁଇଦିନରେ ୬୬ଜଣ ୱାର୍ଡ଼ ସଦସ୍ୟ, ସରପଞ୍ଚ ୪ଜଣ, ସମିତିସଭ୍ୟ ୮ଜଣ ଏବଂ ବାଙ୍କୀରେ ୧୨୮ଜଣ ୱାର୍ଡ଼ମେମ୍ବର, ସରପଞ୍ଚ ୫ଜଣ, ସମିତି ସଭ୍ୟ ୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୁନଶ୍ଚ କଟକ ସଦର ବ୍ଲକ ଅଞ୍ଚଳରେ ୧୫୫ଜଣ ୱାର୍ଡ଼ମେମ୍ବର ପ୍ରାର୍ଥୀ, ସରପଞ୍ଚ ନିମନ୍ତେ ଗତକାଲି ୨୪ଜଣ ଏବଂ ସମିତି ସଭ୍ୟ ଭାବେ ୩ଜଣ ନାମାଙ୍କନ ଦାଖଲ କରିଛନ୍ତି । ନରସିଂହପୁର ବ୍ଲକରେ ଗତକାଲି ୧୫୩ଜଣ ୱାର୍ଡ଼ ସଦସ୍ୟ ଭାବେ ଏବଂ ସରପଞ୍ଚ ୧୮ଜଣ, ସମିତି ସଭ୍ୟ ଭାବେ ଗତକାଲି ୧୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ