ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

News by Umakanta Jena (Cuttack Sadar)


#କଟକ ସଦର(ଏନ୍‍.ଏମ୍‍.): ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଆଦୃତ ଓ ଅନୁକରଣୀୟ । ସୃଷ୍ଟି ଓ ସ୍ରଷ୍ଟାର ନିର୍ଦ୍ଦେଶ ମୁତାବକ ସମଗ୍ର ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର ଓ ପ୍ରସାର କରି ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ଓ ଅନୁପ୍ରେରଣା ସୃଷ୍ଟି କରିଛନ୍ତି ତାହା ବାସ୍ତବ ସମାଜରେ ଗ୍ରହଣୀୟ ହୋଇପାରିଛି । ଆଧ୍ୟାତ୍ମିକ ଚେତନା ଠାରୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ, ନାରୀ ଜାଗରଣ, ସାମାଜିକ ବୈଷମ୍ୟ ଦୂରୀକରଣ ଓ ଗ୍ରାମ୍ୟ ସ୍ୱରାଜ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମାହାତ୍ମାଙ୍କ ଦିଗଦର୍ଶନ ଆଲୋଡନ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସତ୍ୟ, ଅହିଂସା, ଶାନ୍ତି, ପ୍ରୀତି, ମୈତ୍ରୀ ଓ ସହାବସ୍ଥାନର ବାର୍ତ୍ତାକୁ ସମଗ୍ର ବିଶ୍ୱକୁ ମୁଖରିତ କରିପାରିଛି । ଗାନ୍ଧିଜୀ ଦ୍ୱାରା ପ୍ରଣୀତ ମହାମନ୍ତ୍ର ସମଗ୍ର ମାନବ ଜାତିକୁ ଆଲୋକ ବର୍ତ୍ତିକା ଦେଖାଇଛି ବୋଲି ସ୍ଥାନୀୟ ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତିପୀଠ ଠାରେ ଆୟୋଜିତ ମହାପ୍ରୟାଣ ଓ ଜାତୀୟ ସହିଦ ଦିବସ ପାଳନ ଉପଲକ୍ଷେ ଆୟୋଜିତ ତିନି ଦିନିଆ ଗାନ୍ଧୀସ୍ମୃତି ପଲ୍ଲିଶ୍ରୀ ମେଳାର ଶୁଭ ଉଦଘାଟନ ଉତ୍ସବରେ ଯୋଗଦେଇ ଅତିଥି ବୃନ୍ଦ ଉପରକ୍ତ ବିଷୟ ପ୍ରକାଶ କରିଛନ୍ତି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ କହିଲେ ଯେ ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ଗାନ୍ଧୀଙ୍କ ଦ୍ୱାରା ପ୍ରଚାରିତ ଅହିଂସାର ବାର୍ତ୍ତାସମଗ୍ର ମାନବ ଜାତିକୁ ଅନୁପ୍ରାଣିତ କରିଛି । ଗାନ୍ଧୀ ସ୍ମୃତିପୀଠର କାୟା ପରିବର୍ଦ୍ଧନ କରି ଏଠାକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହ ଏଠାରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କଟକ ମହାନଗର ନିଗମ ପକ୍ଷରୁ ବିଚାର ବିମର୍ଷ ଚାଲିଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପୀଠର ସର୍ବାଙ୍ଗୀନ ଉନ୍ନତି ଆଣିବାକୁ ଆଗ୍ରହ ପ୍ରକାଶ କରିଆସୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓଡିଶା ଆଗମନ ସମୟରେ ଏହି ପୀଠରେ ରାତ୍ରୀ ଯାପନ କରି ଶାନ୍ତି ଓ ସଦଭାବନାର ବାର୍ତ୍ତା ପ୍ରଚାର କରିଥିଲେ । ଗାନ୍ଧୀ ସ୍ମୃତିପୀଠର ଶ୍ରୀ ବୃଦ୍ଧି ସାଧନ ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି । ବ୍ୟାଖ୍ୟାନ କେନ୍ଦ୍ରରେ ବର୍ଷ ତମାମ ଏକ ସ୍ଥାୟୀ ପ୍ରଦର୍ଶନୀ ପ୍ରଦର୍ଶିତ ହେବା ସହ ଏହି ପରିସରରେ ସହରାଞ୍ଚନ ବିପଣନ ବଜାର ପ୍ରତିଷ୍ଠା କରିବା ନିମନ୍ତେ ଲକ୍ଷ୍ୟ ରକ୍ଷା ଯାଇଛି । ଆଗନ୍ତୁକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ଭଳି ଏହାର ଅବୟବରେ ପରିବର୍ତ୍ତନ ଆଣିବାକୁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇଛି, ଯାହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ସମେତ ବିଭିନ୍ନ ଶ୍ରେଣୀର ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ । ଗାନ୍ଧୀ ସ୍ମୃତି ପୀଠର ଉନ୍ନତି କାରଣ ନିମନ୍ତେ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ଯୋଗଦେଇ କହିଲେ ଯେ, ଗାନ୍ଧୀ ସ୍ମୃତିପୀଠର ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସଚେତନ ଅଛି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପିଡି ଡିଆରଡିଏ ଅମ୍ବର କୁମାର କର ଯୋଗଦେଇ କ୍ଷୁଦ୍ର ପାଳିଶ୍ରୀ ମେଲାର ଆୟୋଜନ ଖୁବ ସ୍ୱଳ୍ପ ସମୟ ମଧ୍ୟରେ କରାଯାଇଛି । ସହରାଞ୍ଚନ ବିପଣନ ବଜାର ପ୍ରତିଷ୍ଠା କରିବା ସହ ଏହିଭଳି ମେଳାର ଆୟୋଜନ ନିମନ୍ତେ ସମସ୍ତ ଆବଶ୍ୟକୀୟ ସହଯୋଗ ଓରମାସ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ ବିପିନ ବିହାରୀ ରାଉତ ସଭାରେ ଉଦବୋଧନ ଦେଇଥିଲେ । କଟକ ମହାନଗର ନିଗମର ୫୯, ୫୮,୫୭,୫୬ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି, ଜନାର୍ଦନ ପରିଡା, ପୁର୍ଣ୍ଣିମା ସ୍ୱାଇଁ ଓ ଲିପ୍‍ସା ନାୟକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କ ସମେତ ଜିଲ୍ଲାପରିଷଦ ଜୋନ ନମ୍ବର ୪,୬ ଓ ୨୫ର ସଭ୍ୟ ସଭ୍ୟା, ଆଶାଲତା ବେହେରା, ସସ୍ମିତା ମାର୍ଥା, ବିଳାସ ଭୋଇ ଏବଂ କଟକ ସାଂସଦଙ୍କ ପ୍ରତିନିଧି ଚିରାଞ୍ଜୟ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ପଲ୍ଲିଶ୍ରୀ ମେଳାରେ ୪୦ଟି ଷ୍ଟଲ ଖୋଲିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ