ତେଜିଲା ବିଜେଡିରେ ଅସନ୍ତୋଷ: ବିଶିଷ୍ଟ ନେତା କେଦାର ପୃଷ୍ଟି ଏବେ କଂଗ୍ରେସ ଶିବିରରେ
କଟକ(ଏନ୍.ଏମ୍.): ବିଜୁଜନତା ଦଳର ଟାଣୁଆନେତା ତଥା ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି ଆଜି କଂଗ୍ରେସ ଶିବିରରେ ପହଞ୍ôଚ ଯାଇଛନ୍ତି । ସେ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ବିଜେଡିରେ ଚାଲିଥିବା ତୀବ୍ର ଅନ୍ତର୍ଦ୍ୱନ୍ଦ୍ୱ, ତଥା ନିଷ୍ଠାପର କର୍ମୀଙ୍କୁ ଦଳରେ କୋଣଠେସା କରାଯିବା ପ୍ରତିବାଦରେ ବହୁ ବିଜେଡି ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶିବା ଭଳି ଘଟଣରେ କଟକରେ ଦେଖିବାକୁ ମିଳିଛି । ଶ୍ରୀ ପୃଷ୍ଟି ଆଜି କଂଗ୍ରେସ ଶିବିରରେ ପହଞ୍ôଚବା ପରେ ବାରବାଟୀ-କଟକ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳ ପକ୍ଷରୁ ସ୍ୱାଗତ କରିଛନ୍ତି । କଟକ ସହରର ଅଣ କଂଗ୍ରେସ ରାଜନୀତିରେ ଦୀର୍ଘଦିନ ଧରି ବେଶ୍ ଦବ୍ଦବା ଜାହିର କରିଥିବା ଶ୍ରୀ ପୃଷ୍ଟି କଂଗ୍ରେସରେ ସାମିଲ ହେବା ପରେ ବିଜେଡିର ଅନେକ କ୍ଷତି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ସିଏମ୍ସିର କର୍ପୋରେଟର ଭାବେ ସେ ଦୁଇ ଦୁଇଥର ନିର୍ବାଚିତ ହୋଇଥିଲାବେଳେ ତୃତୀୟ ଥର ତାଙ୍କ ସମର୍ଥୀତ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇ କଟକ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିଥିଲେ । ଏଥି ସହିତ ଶ୍ରୀ ପୃଷ୍ଟି ବିଭିନ୍ନ ସଂଗଠନ ସହିତ ଜଡିତ ଥିବାରୁ ତାଙ୍କ ସହିତ ତାଙ୍କର ଶତାଧିକ ସମର୍ଥକଙ୍କ ଭୋଟ ମଧ୍ୟ ବିଜେଡି ହରାଇବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ତାଙ୍କ ସୁପାରିସରେ କଂଗ୍ରେସ ଜଣଙ୍କୁ କର୍ପୋରେଟର ଟିକେଟ ପ୍ରଦାନ କରିଥିଲା । ଏଥି ସହିତ କଂଗ୍ରେସ ୫୮ଟି ୱାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ବେଳେ ୨୭ ନମ୍ବରକୁ ୱାର୍ଡକୁ ସ୍ଥଗିତ ରଖିଥିଲା । ଏହି ୱାର୍ଡ଼ଟି ହେଉଛି ଶ୍ରୀ ପୃଷ୍ଟିଙ୍କ ୱାର୍ଡ଼ । ଆସନ୍ତା କାଲି କେଦାର କଂଗ୍ରେସର କର୍ପୋରେଟର ପ୍ରାର୍ଥୀଭାବେ ଉକ୍ତ ୱାର୍ଡ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ନଗର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।