ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ

#ତିଗିରିଆ(ଏନ୍.ଏମ୍.): କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଆନନ୍ଦ ଉଲ୍ଲାର ପର୍ବ ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ । କିଏ ବା ଜାଣିଥିଲା ନାଲି ନେଳି ରଙ୍ଗରେ ହୋଲିର ମଜା ଉଠାଇବା ପୂର୍ବରୁ ଶତ୍ରୁର ଆକ୍ରମଣରେ ରକ୍ତ ରଞ୍ଜିତ ହୋଇ ଉଠିବ ଅଞ୍ଚଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ସୁରେନ୍ଦ୍ର ପାଟଣା ଗ୍ରାମରେ । ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ କରାଯାଇଥିବାବେଳେ ଜଣକର ମୁଣ୍ଡ ଗଡ଼ିଥିବାବେଳେ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାର ଏଭଳି ଜଘନ୍ୟକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସୁରେନ୍ଦ୍ରପାଟଣା ଗ୍ରାମର ଚିନ୍ତାମଣି ବେହେରାଙ୍କ ସମେତ ତାଙ୍କ ପତ୍ନୀ ଏବଂ ଝିଅକୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆଜି ସକାଳୁ କେହି ଦୁର୍ବୃତ୍ତ ତାଙ୍କ ଘରକୁ ଯାଇ ତିନିଜଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଫଳରେ ତାଙ୍କ ଘର ଦ୍ୱାରମୁହଁରେ ପ୍ରବଳ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଆକ୍ରମଣକାରୀ ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାବେଳେ ଅପରାଧୀକୁ ଚିହ୍ନଟ କରାଯାଇ ନାହିଁ । ତେବେ ଚିନ୍ତାମଣିଙ୍କ ପରିବାର ଲୋକେ ପ୍ରାଣ ବିକଳରେ ଚିତ୍କାର କରୁଥିବା ବେଳେ ପାଖ ପଡୋଶୀ ପହଞ୍ଚି ଆହତମାନଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ଚିନ୍ତାମଣିଙ୍କୁ ମୃତ ଘୋଷଣା କରିଥିଲେ । ପୁନଶ୍ଚ ତାଙ୍କ ପତ୍ନୀ ଓ ଝିଅର ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିନ୍ତାମଣିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ତିଗିରିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।