ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ !
ପୁରୀ(ଏନ୍.ଏମ୍.): ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ । ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ । ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୁଲିସ ଅଟକ ରଖିଛି । ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ । ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ପାହାର ପକାଇଥିଲେ । ଅର୍ଜୁନ ବାବା ଜୋରରେ ଚିତ୍କାର କରିଥିଲେ । ହେଲେ ଆଶ୍ରମରେ କୀର୍ତ୍ତନ ଚାଲିଥିବାରୁ ଅର୍ଜୁନ ବାବାଙ୍କ ଚିତ୍କାର କାହାକୁ କିଛି ଶୁଭିନଥିଲା । ପରେ ଅର୍ଜୁନଙ୍କୁ ବିଷ୍ଣୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ । ଅର୍ଜୁନଙ୍କୁ ହତ୍ୟା କରିବା ପରେ ବିଷ୍ଣୁ ଆଶ୍ରମ ଉପର ମହଲାରୁ ତଳକୁ ଆସୁଥିଲେ । ଏହି ସମୟରେ ଦୟାନିଧି ବାବାଙ୍କ ସହ ତାଙ୍କର ଭେଟ ହୋଇଥିଲା । ତୁମ ମୁହଁରେ ରକ୍ତ କେଉଁଠୁ ଲାଗିଲା ବୋଲି ବିଷ୍ଣୁଙ୍କୁ ଦୟାନିଧି ପ୍ରଶ୍ନ କରିଥିଲେ । ବିଷ୍ଣୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ । ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଆଶ୍ରମରେ ଥିବା ଅନ୍ୟବାବାମାନେ ଦୟାନିଧିଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ପଠାଇବା ସହ ପୁଲିସକୁ ଖବର ଦେଇଥିଲା । ପୁଲିସ ପହଞ୍ଚି ବିଷ୍ଣୁ ବାବାଙ୍କୁ ଶୌଚାଳୟରୁ କାବୁ କରିଥିଲେ । ବିଷ୍ଣୁ ବାବା ତିନିମାସ ହେବ ଏହି ଆଶ୍ରମରେ ରହି ଆସୁଥିଲେ । ଅର୍ଜୁନ ବାବା ତିନି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ । ତନ୍ତ୍ର ସାଧନା ନେଇ ଉଭୟ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡର ବ୍ୟବହୃତ କାଠଗଣ୍ଡି ଓ ଏକ ବ୍ଲେଟ୍ ଜବତ କରିଛି । ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି । ବିଷ୍ଣୁ ବାବା ମଧ୍ୟ ଅର୍ଜୁନ ବାବାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ତନ୍ତ୍ର ପାଇଁ ସେ ତାଙ୍କୁ ହତ୍ୟା କରିଥିବା କହିଛନ୍ତି ।