ଢିଙ୍କିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା

କଟକ(ଏନ୍.ଏମ୍.): ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମରେ ପ୍ରସ୍ତାବିତ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ବିରୋଧ କରି ଜନତା ଓ ପୁଲିସ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟରେ ପୃଥକ ଭାବେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ପୁଲିସର ଲାଠିଚାଳନାରେ ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଲାଗି ଆବେଦନାକାରୀମାନେ ଅଦାଲତଙ୍କ ପ୍ରାର୍ଥନା କରିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଥିଲା ବେଳେ ଏହାର ନିୟମ ସଠିକ୍ ପାଳନ କରିବାକୁ ପ୍ରଶାସନକୁ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପିଟିସନ୍ରେ ନିବେଦନ କରିଛନ୍ତିି । ଏଥି ସହିତ ଅଞ୍ଚଳବାସୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟନୁଷ୍ଠାନର ନିରପେକ୍ଷ ତଦନ୍ତ, ପ୍ରସ୍ତାବିତ ଅଞ୍ଚଳରୁ ପୁଲିସ ମୁତୟନ ପ୍ରତ୍ୟାହାର କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନ କରିଛନ୍ତି । ଏହାବ୍ୟତୀତ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ପାନବରଜ ଭଙ୍ଗା ବନ୍ଦ କରିବା ସହିତ ଲୋକଙ୍କୁ ବିସ୍ଥାପିତ କରା ନଯାଉ ବୋଲି ପିଟିସନ୍ରେ ପ୍ରାର୍ଥନା କରାଯାଇଛି । ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି । ଏହାକୁ ଆଇନଜୀବୀ ସୁକାନ୍ତ ଦଳେଇ ପରିଚାଳନା କରିଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ସଂପୃକ୍ତ କମ୍ପାନୀ, ପୋଲିସ ଡିଜି, ଜଗତସିଂହପୁର ଏସ୍ପି,ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେହିପରି ଢିଙ୍କିଆ ଅଞ୍ଚଳର ଆବେଦନକାରୀ କୁନି ମଲ୍ଲିକ ଏହି ପ୍ରସଙ୍ଗକୁ ଭିତ୍ତି କରିି ଆଉଏକ ମାମଲା ଦାୟର କରିଛନ୍ତି । ହାଇକୋର୍ଟର ମୁଖ୍ୟବିଚାରପତି ଏସ୍.ମୁରଲିଧର ଓ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୧ ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି ।