ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମସି ମେୟର ଓ କମିଶନରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଅଞ୍ଚଳବାସୀ

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମସି ମେୟର ଓ କମିଶନରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଅଞ୍ଚଳବାସୀ

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମସି ମେୟର ଓ କମିଶନରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଅଞ୍ଚଳବାସୀ
କ୍ଷତିପୂରଣ ପାଇଁ ମେୟରଙ୍କ ପ୍ରତିଶ୍ରୁତି

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): କଟକ ସହର ଏବେ ପାଲଟିଛି ମୃତ୍ୟୁର ଦ୍ୱାର । ରାସ୍ତାଘାଟରୁ ଆରମ୍ଭ କରି ନାଳନର୍ଦ୍ଦମା ସବୁ କିଛି ପାଲଟିଛି ମରଣଯନ୍ତା । ହେଲେ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ସିଏମସି ପ୍ରଗତି ଓ ସୌନ୍ଦର୍ଯ୍ୟର ଡିଣ୍ଡିମ ପିଟୁଥିବାବେଳେ ଏହା ଲୋକଦେଖାଣିଆ ବୋଲି ଅଭିଯୋଗ ହୋଇଛି । ସହରରେ ବିଭିନ୍ନ ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଶେଷ କେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫଳରେ ପ୍ରଶାସନ ଏବଂ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁଁ ସହରରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି । ତେଣୁ ଏହାକୁ ନେଇ ସହରରେ ଅସନ୍ତୋଷ କୁହୁଳିବାରେ ଲାଗିଥିବା ଦେଖିବାକୁ ମିଳିଛି । ଯାହାର ପ୍ରମାଣ ଆଜି ସିଏମସି ମେୟର ଓ କମିଶନରଙ୍କୁ ଅଞ୍ଚଳବାସୀ ଘେରିବା ଓ ପ୍ରଶ୍ନବାଣରେ ଘାଇଲା କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ‘ମୁକୁଳା ଡ୍ରେନରେ ପଡ଼ି ଆମ ପୁଅର ଜୀବନ ଯାଇଛି । ଆମକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ । ତା’ସହିତ ଏହି ଘଟଣା ପାଇଁ ଜେଇଙ୍କୁ ବଦଳି କରାଯାଉ । ତାଙ୍କର ଦାୟିତ୍ୱହୀନତା ଯୋଗୁ ଆମ ପୁଅର ଜୀବନ ଗଲା ।’ ଆଜି ଏପରି ଦାବି କରି ସିଏମସି ମେୟର ସୁବାଷ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କୁ ମୃତ ନାବାଳକଙ୍କ ପରିବାର ଲୋକେ ଘେରିଥିଲେ । ସେମାନଙ୍କ ସହିତ ସ୍ଥାନୀୟ ଲୋକେ ବି ମେୟର ଓ କମିଶନରଙ୍କୁ ଘେରିଥିଲେ । ତେବେ ସିଏମସିର ଏଭଳି ଖାମଖିଆଲି ନୀତି ଯୋଗୁଁ ସହରରେ ଅନେକ ଜୀବନ ଯାଇଥିବା ଭଳି ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ତେବେ ଏସବୁ ପ୍ରଶ୍ନରେ ସିଏମସି ମେୟର ଓ କମିଶନର କିଂକର୍ତ୍ତବ୍ୟବିମୁଢ଼ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ କଟକ ବିଡ଼ାନାସୀ ବନ୍ଧ ଅଞ୍ଚଳରେ ଜଣେ ନାବାଳକ ଯୋଶେଫ ସାହାଣୀ(୯) ଗୁଡ଼ି ଉଡ଼ାଉ ଥିବାବେଳେ ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ହରାଇଥିଲେ । ତେବେ ଆଜି ସିଏମସି ମେୟର ଓ କମିଶନର ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ଏହି ସମୟରେ ମୃତ ନାବାଳକଙ୍କ ବାପା-ମା’ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ । ସେମାନେ କ୍ଷତିପୂରଣ ଦାବି କରିବା ସହିତ ଏଭଳି ଘଟଣା ପୁନର୍ବାର ଯେମିତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମେୟରଙ୍କୁ କହିଥିଲେ । ମୁକୁଳା ଥିବା ଡ୍ରେନରେ ଶୀଘ୍ର ସ୍ଲାବ୍ ପକାଇବାକୁ ସେମାନେ ଦାବି କରିଥିଲେ । ତେବେ ମେୟର ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ତୁରନ୍ତ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୃତ ନାବାଳକଙ୍କ ବାପାମା’ଙ୍କୁ ସିଏମସି ପକ୍ଷରୁ ୩୦ ହଜାର ଟଙ୍କାର ସହୟତା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ସହାୟତା ପ୍ରଦାନ ପ୍ରଦାନ କରାଯାଇଛି । ମେୟର ଶ୍ରୀ ସିଂହ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ମୃତ ଶିଶୁଟିର ପରିବାରକୁ କ୍ଷତିପୂରଣ ଦିଆଯିବ । ଏନେଇ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ କଥା ଦେବା ଏବଂ ଘଟଣାର ତଦନ୍ତ ଚାଲିଥିବା କହିଥିଲେ । ପୁନଶ୍ଚ ଏହି ଘଟଣା ପାଇଁ ଯିଏ ଦାୟୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ