ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର

#କଟକ (ଏନ୍.ଏମ୍.): ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ପ୍ରଭାବ ଗୋଟିଏ ଦିନପରେ ଏବେ ବଜାର ଦର ଉପରେ ପଡ଼ିଛି । ବିଶେଷ କରି ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ସିଧାସଳଖ ପ୍ରଭାବ ପରିବା ମାର୍କେଟ ଉପରେ ପଡ଼ିିଛି । ଧୀରେ ଧୀରେ ବଜାରରୁ ପନିପରିବା ଖାଲି ହେବାକୁ ଲାଗିଥିବାବେଳେ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଫଳରେ ବଜାରୁ ବିଭିନ୍ନ ପରିବା ହଜିବାକୁ ଲାଗିଲାଣି । ତେବେ ଏବେଠୁ ପରିସ୍ଥିତିକୁ ନିୟମନ୍ତ୍ରଣ କରା ନଗଲେ ଖୁବଶୀଘ୍ର ସ୍ଥିତି ଅଣାୟତ୍ତ ହେବ ବୋଲି ବ୍ୟବସାୟୀ ମହାସଂଘ ଚେତାବନୀ ଦେଇଛି । ଡ୍ରାଇଭରମାନଙ୍କ ଦୁଇ ଦିନ ଧରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପରିବା, ଫଳ ସହ ଅତ୍ୟାବଶ୍ୟକ ଜିନିଷ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଜାରକୁ ଆସିପାରୁନି । ବିଭିନ୍ନ ସ୍ଥାନରେ ପନିପରିବା ଓ ଅନ୍ୟ ସାମଗ୍ରୀ ବୋଝେଇ ଗାଡ଼ି ଅଟକି ରହିଛି । ଗୋଟିଏ ପଟେ ଖାଉଟିଙ୍କ ନିକଟରେ ଜିନିଷ ପହଞ୍ଚି ପାରୁ ନଥିବାବେଳେ ରାସ୍ତାରେ ଗାଡ଼ି ଅଟକି ରହିଥିବାରୁ ପନିପରିବା ଓ ଫଳ ଆଦି ପଚିଷଢ଼ି ନଷ୍ଟ ହେବାରେ ଲାଗିଛି ।
ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ସବୁଠୁ ବଡ଼ ପରିବା ମାର୍କେଟ କଟକର ଛତ୍ରବଜାରରେ ଅବସ୍ଥା ମଧ୍ୟ ଅଣାୟତ୍ତ ହେବାରେ ଲାଗିଛି । ଛତ୍ରବଜାରକୁ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ପ୍ରତିଦିନ ଟନ ଟନ ପନିପରିବା ଓ ଫଳ ଆସୁଥିବା ବେଳେ ଏବେ ଏଠାରେ ପରିବା ଦେଖିବାକୁ ମିଳୁନାହିଁ । ଗୋଟିଏ ପଟେ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ପରିବା କିଲୋ ପିଛା ୫ରୁ ୧୦ ଟଙ୍କା ଯାଏ ବଢ଼ି ଗଲାଣି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲାଣି । ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ ଆସନ୍ତାକାଲି ପରିସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଉପୁଜିଥିବା ଏହି ସ୍ଥିତି ପାଇଁ ଡ୍ରାଇଭର ମହାସଂଘ ସରକାରଙ୍କୁ ଦାୟୀ କରିଛି । ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରୁନାହାନ୍ତି । ଆନ୍ଦୋଳନକୁ ୨ଦିନ ପୂରିବାକୁ ବସିଥିଲେ ବି ଜଣେ ବି ଜନ ପ୍ରତିନିଧି ଆନ୍ଦୋଳନ ସ୍ଥଳକୁ ଯାଇ ଆଲୋଚନା କରି ନାହାନ୍ତି । ବରଂ ଏହାକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ କରାଯାଉଥିବା ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି । ତେଣୁ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ର କରାଯିବ ବୋଲି ଡ୍ରାଇଭରମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।