ଡିସେମ୍ୱର ୨୪ ଓ ୨୫ରେ ଭୁବନେଶ୍ୱର ସୈନିକ ସ୍କୁଲର ହୀରକ ଜୟନ୍ତୀ

#ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲର ହୀରକ ଜୟନ୍ତୀ ଆଗାମୀ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ମହାସମାରୋହରେ ପାଳନ କରାଯିବା ପାଇଁ ବିଦ୍ୟାଳୟ ଏବଂ ବିଦ୍ୟାଳୟର ପୂରାତନ ଛାତ୍ର ପରିଷଦ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସମ୍ପର୍କରେ ପ୍ରେସ୍ ବିବୃତ୍ତି ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାବୃନ୍ଦ ସୂଚନା ଦେଇଛନ୍ତି ।
ସୈନିକ ସ୍କଲ ୧୯୬୨ ମସିହା ଜାନୁଆରୀ ୧୫ ତାରିଖରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ନିଜସ୍ୱ ଅଟ୍ଟାଳିକାକୁ ୮ଜାନୁଆରୀ,୧୯୬୪ ମସିହାରେ ଭୂତପୂର୍ବ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଉଦ୍ଘାଟନ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ୬୦ବର୍ଷ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ସେବା ପ୍ରଦାନ କରିବା ପରେ ଚଳିତ ବର୍ଷ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି । ଚଳିତ ବର୍ଷ ସୈନିକ ସ୍କୁଲରହୀରକ ଜୟନ୍ତୀ ସହିତ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦର ୫୦ ତମ ବର୍ଷ ବା ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ । ହୀରକ ଜୟନ୍ତୀର ତାରିଖ ପାଖେଇ ଆସୁଥିବାବେଳେ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ଥିବା ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାର ସହିତ ଏଥିରେ ଯୋଗଦେବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଦୀର୍ଘ ସମୟର ବ୍ୟବଧାନ ପରେ ଏଠାରେ ସେମାନେ ନିଜ ନିଜର ପୁରାତନ ସହପାଠୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଭେଟି ପୂର୍ବ ସ୍ମୃତିଚାରଣ କରିବାର ସୁଯୋଗ ଲାଭ କରିବେ । ବିଦ୍ୟାଳୟ ତରଫରୁ ସମସ୍ତ ପୂର୍ବତନ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ, ନିବନ୍ଧକ ଏବଂ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିମନ୍ତ୍ରିତ କରାଯାଇଛି । ମିଳିଥିବା କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଉତ୍ସବରେ ଯୋଗଦେବେ । ମୁଖ୍ୟଅତିଥିଙ୍କୁ ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ତଥା ପୁରାତନ ଛାତ୍ର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଦ୍ୟାଳୟର ଅଧ୍ୟକ୍ଷ କର୍ଣ୍ଣେଲ ବାଲୁ ଭରତ, ଲେଫ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି (ଅବସରପ୍ରାପ୍ତ) ଏବଂ ପୁରାତନ ଛାତ୍ର ପରିଷଦର ସଭାପତି ହରଦମନ ସିଂ ସ୍ୱାଗତ କରିବେ । ମୁଖ୍ୟମନ୍ତ୍ରୀ, ସୈନିକ ସ୍କୁଲର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ୮ ନଭେମ୍ବର ୨୦୨୦ରେ ଜାମୁ କାଶ୍ମିର ସୀମାନ୍ତରେ ଉଗ୍ରବାଦୀଙ୍କ ସହିତ ଅସୀମ ସାହସର ସହିତ ଲଢେଇ କରି ସହିଦ ହୋଇଥିବା ମରଣେତ୍ତର ସୌର୍ଯ୍ୟଚକ୍ର ଉପାଧିପ୍ରାପ୍ତ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇବେ ।
ଡିସେମ୍ବର ୨୫ ତାରିଖ ଉତ୍ସବର ୨ୟ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସହିଦଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରିବେ । ଏଥି ସହିତ ସେ ପୁରାତନ ଛାତ୍ର ପରିଷଦର ସ୍ମରଣିକା ଉନ୍ମୋଚନ କରିବା ସହ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିବେ ଏବଂ କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିବେ । ଏହି ଉତ୍ସବରେ ଯୋଗ ଦେଉଥିବା ଅନ୍ୟ ଅତିଥିମାନେ ହେଲେ, ଲେଫ୍ଟନାଣ୍ଟ ଜେନେରାଲ ଅନୀଲ କୁମାର ସାମନ୍ତରା, ଏସ୍, ଏମ୍.ଡି.ଜି.ଇନଫାଣ୍ଟ୍ରି, କମୋଡର ସୋମେନ ବାନାର୍ଜୀ, ଡିଡିଜି ଏନ୍.ସି.ସି.ନିର୍ଦ୍ଦେଶାଳୟ ଏବଂ କମୋଡର ଏନ୍.ପି.ପ୍ରଦୀପ, କମାଣ୍ଡିଙ୍ଗ ଅଫିସର, ଆଇ.ଏନ୍,ଏସ୍, ଚିଲିକା । ଦୁଇ ଦିନର ଏହି ଉତ୍ସବରେ ପାରା ଜମ୍ପିଙ୍ଗ, ଡଗ୍ ଶୋ, ମକ୍ ୱାର, ଜିମ୍ନାଷ୍ଟିକ୍ସ, ଆର୍ମିବ୍ୟାଣ୍ଡ, ନାଭାଲ ବ୍ୟାଣ୍ଡ ଏବଂ ପୁରାତନ ଛାତ୍ରମାନଙ୍କର ବ୍ୟାଚ୍ ଅନୁସାରେ ମାର୍ଚ୍ଚପାଷ୍ଟ ପ୍ରଭୃତି ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୪ ଡିସେମ୍ବର ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗୋଟିପୁଅ, ସିଂହାରୀ, ପୁରୁଲିଆ, ଛଉନୃତ୍ୟ, ତାଳବାଦ୍ୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୨୫ ଡିସେମ୍ବର ସାଂସ୍କୃତିକ ସଂଧ୍ୟାରେ ଓଡିଶାର ସୁନାମଧନ୍ୟ ଗାୟକ ଋତୁରାଜ ମହାନ୍ତି ମଞ୍ଚରେ ନିଜର କଣ୍ଠର ଯାଦୁରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ । ଏଥି ସହିତ ସକାଳ ସମୟରେ ଏକ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ତତ୍ସହିତ ପୁରାତନ ଛାତ୍ର ଏବଂ ଅଧ୍ୟୟନ ରତ ଛାତ୍ରମାନଙ୍କ ମଧ୍ୟରେ ବାସ୍କେଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରାୟ ୩୫୦୦ ପୁରାତନ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ଜଣାଯାଇଛି । ଏହି ଉତ୍ସବକୁ ସଫଳ କରିବା ପାଇଁ ସ୍କୁଲ କର୍ମକର୍ତ୍ତା, ପୁରାତନ ଛାତ୍ର ପରିଷଦ ଏବଂ କ୍ୟାଡେଟ୍ ମାନଙ୍କ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସୈନିକ ସ୍କୁଲର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁ ଭରତ, ଉପାଧ୍ୟକ୍ଷା ଊଷା ସଙ୍ଗୱାନ, ପୁରାତନ ଛାତ୍ର ପରିଷଦର ସଭାପତି ହରଦମନ ସିଂ, ଲେଫ୍ଟନାଣ୍ଟ ଜେନେରାଲ ଏନ୍.ପି.ପାଢୀ(ପି.ଭି.ଏସ୍.ଏମ୍.,ଭି.ଏସ୍.ଏମ୍),ଅବସରପ୍ରାପ୍ତ, ପୁରାତନ ଛାତ୍ର ସଂସଦର ସଭ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ମଧୁସୂଦନ ପାଢୀ, ପୁରାତନ ଛାତ୍ର ପରିଷଦର ସଂପାଦକ ସିଡିଆର୍ ଦୀନେଶ ସ୍ୱାଇଁ(ଅବସରପ୍ରାପ୍ତ), ପୁରାତନ ଛାତ୍ର ପରିଷଦର ପୂର୍ବତନ ସଭାପତି ପ୍ରୀତିଶ ବାସା ପ୍ରମୁଖ ଉପସ୍ଥିତଥିଲେ ।