ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର (ଏନ୍.ଏମ୍.): ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି ଅଧିବେଶନ ଡିସେମ୍ବର ୩୧ ୟତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ôଥକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଦିନ ଅଧିବେଶନ ବସିବ । ଏଥିରେ ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ଆସିବ । ଏଥିରେ ଅଫିସିଆଲ ବିଜନେସ୍ ଓ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଭାବେ ଉଲ୍ଲେଖ ରହିଛି । ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ । ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ ବୋଲି ବିରୋଧୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ଅଧିବେଶନ ବସୁଥିବାରୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ରଣନୀତି ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ପାରିନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ସୂଚନାଯୋଗ୍ୟ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଥିବାବେଳେ ଆଉ ୨୬ ଦିନ ବାକି ରହିଥିଲା । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେବା ସହ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଥିଲେ ।